ଦେଶ- ବିଦେଶ

‘ବସିଥିବା ଡାଳକୁ ହାଣୁଛନ୍ତି ଶାହା’

କୋଲକାତା: ମୁର୍ଶିଦାବାଦରେ ଓ୍ବକ୍‌ଫ ଆଇନ ବିରୋଧୀ ହିଂସା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଦାୟୀ କରିଛନ୍ତି। ମମତା କହିଛନ୍ତି, ସଂଘୀୟ ସଂସ୍ଥାଗୁଡ଼ିକ ଭାଜପା ଏବଂ ଶାହାଙ୍କ ନିୟନ୍ତ୍ରଣରେ ରହିଛି। ସେମାନେ ବାଂଲାଦେଶରୁ ଆପରାଧିକ ତତ୍ତ୍ୱଙ୍କୁ ଭାରତରେ ଅନୁପ୍ରବେଶ କରାଇ ମୁର୍ଶିଦାବାଦରେ ହିଂସା ଭିଆଇବାକୁ ଅନୁମତି ଦେଇ ନିଜେ ବସିଥିବା ଡାଳକୁ ହାଣୁଛନ୍ତି।

ଓ୍ବକ୍‌ଫ ଆଇନ ବିରୋଧୀ ବିକ୍ଷୋଭ ବେଳେ ସମଶେରଗଞ୍ଜର ହରଗୋବିନ୍ଦ ଦାସ (୭୨), ତାଙ୍କ ପୁଅ ଚନ୍ଦନ ଦାସ (୪୦)ଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ହିଂସାମତ୍କ ବିକ୍ଷୋଭ ଚାଲିଥିବାବେଳେ ପୋଲିସ ଗୁଳିରେ ଏଜାଜ୍‌ ଅହମଦ (୨୫) ପ୍ରାଣ ହରାଇଥିଲେ। ନୂଆ ଓ୍ବକ୍‌ଫ ଆଇନ ଉପରେ ଧର୍ମୀୟ ନେତାଙ୍କ ସହ ଆଲୋଚନା ପାଇଁ ଉଦ୍ଦିଷ୍ଟ ଏକ ସଭାକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା କହିଛନ୍ତି, ଏକ ନ୍ୟୁଜ୍‌ ଏଜେନ୍ସିର ସୋସିଆଲ ମିଡିଆ ପୋଷ୍ଟକୁ ସେ ଦେଖିଛନ୍ତି। ବାଂଲାଦେଶରୁ ଆସିଥିବା ଲୋକେ ଏହି ଦଙ୍ଗା ପାଇଁ ଷଡ଼ଯନ୍ତ୍ର ରଚିଥିବା ସେଥିରେ ଉଲ୍ଲେଖ କରାଯାଇଥିଲା। ସୀମା ଜଗିବା ତାଙ୍କ କାମ ନୁହେଁ। ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର ଦାୟିତ୍ୱ, ଯାହାକି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଆସୁଛି। ସୀମା ସେପଟୁ ପଶ୍ଚିମବଙ୍ଗକୁ ଆସିବା ପାଇଁ କାହିଁକି ଦିଆଗଲା ବୋଲି ମମତା ପ୍ରଶ୍ନ କରିଛନ୍ତି।

ନାମ ନ ନେଇ ମମତା ଆହୁରି କହିଛନ୍ତି, ଆପଣ ଧ୍ରୁବୀକରଣ ଚାହାନ୍ତି। ହିନ୍ଦୁ ମୁସ୍‌ଲିମଙ୍କୁ ବିଭାଜିତ କରିବାକୁ ଚାହାନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଯେଉଁ ଡାଳରେ ବସିଛନ୍ତି, ସେହି ଡାଳକୁ ହାଣିଲେ ଆମକୁ ମୁହଁ ଖୋଲିବାକୁ ପଡ଼ିବ। ଶାହା ଦେଶର ସର୍ବାଧିକ କ୍ଷତି କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡ୍ୟାମେଜ୍‌ କଣ୍ଟ୍ରୋଲ କରୁଛନ୍ତି। ଶାହାଙ୍କୁ ଦେଶର ସମସ୍ତ ସଂଘୀୟ ଏଜେନ୍ସିର ଦାୟିତ୍ୱ ଦିଆଯାଇଛି। ସେ ସବୁ ଯୋଜନା ମଧ୍ୟ କରିଥାଆନ୍ତି। ପଶ୍ଚିମବଙ୍ଗ ବାହାରେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଗୋଷ୍ଠୀ ଫେକ୍‌ ନ୍ୟୁଜ୍‌ ବିସ୍ତାର କରୁଛନ୍ତି। ଭାଜପା ସେମାନଙ୍କୁ ଟଙ୍କା ଦେଉଛି ବୋଲି ମମତା ସମାଲୋଚନା କରିଛନ୍ତି।

ରାଜ୍ୟ ଭାଜପା ସଭାପତି ସୁକାନ୍ତ ମଜୁମଦାର ମୁର୍ଶିଦାବାଦ ହିଂସା ପ୍ରଭାବିତ ଲୋକଙ୍କ ସହ ପୋଲିସ ମହାନିର୍ଦ୍ଦେଶକଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଷଡ଼ଯନ୍ତ୍ର ରଚି ହିଂସା ଭିଆଇଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସୁକାନ୍ତ ଦାବି କରିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button