ବିଶେଷ

୬୫ ବର୍ଷ ହେଲା ଛୁଟି ନେଇନାହାନ୍ତିି ଶତାୟୁ ମହିଳା

ରୋମ: ଇଟାଲୀର ନେବ୍ୟୁନୋ ଗ୍ରାମରେ ରହୁଥିବା ଆନ୍ନା ପୋସି ୧୦୦ ବର୍ଷ ବୟସର ହୋଇଥିଲେ ମଧ୍ୟ ସେ ତାଙ୍କ କଫି ଦୋକାନରେ କାମ କରିବା ସହ ଲୋକଙ୍କୁ କଫି ପରସି ବହୁ ପ୍ରଶଂସା ସାଉଣ୍ଟୁଛନ୍ତି। ଇଟାଲୀର ସବୁଠାରୁ ବୟସ୍କା କଫି ଦୋକାନୀ ଭାବେ ପରିଚିତ ଆନ୍ନାଙ୍କୁ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ‘ଗ୍ରାଣ୍ଡ ମା’ ଆନ୍ନା’ର ନଁା ଦେଇଛନ୍ତି। ଏତେ ଅଧିକ ବୟସରେ ମଧ୍ୟ ଲୋକଙ୍କୁ କଫି ପରଷିବାକୁ ନେଇ ଆନ୍ନା କହିଛନ୍ତି, ତାଙ୍କ କାଫେ ବାର୍‌ ତାଙ୍କ ପାଇଁ ସବୁ କିଛି। ସେ ଏହାକୁ କେବେ ମଧ୍ୟ ବନ୍ଦ କରିବେ ନାହିଁ। ଅର୍ଥ ରୋଜଗାର କରିବା ପାଇଁ ସେ ତାଙ୍କ କାଫେକୁ ଚଳାଉନାହାନ୍ତି। ଏହିି କାଫେ ବାର୍‌ରେ କାର୍ଯ୍ୟ କରି ସେ ସବୁବେଳେ ଲୋକଙ୍କ ସହ ରହିଥାନ୍ତି, ଯାହା ତାଙ୍କୁ ଭଲ ଲାଗିଥାଏ ବୋଲି ଆନ୍ନା କହିଛନ୍ତି।

ଆନ୍ନା ‘ସେଣ୍ଟ୍ରାଲ ଡେଲି’ ନାମକ ନିଜର କାଫେ ବାର୍‌କୁ ୧୯୫୮ରେ ଖୋଲିଥିଲେ। ଗତ ୬ ଦଶନ୍ଧିରୁ ଅଧିକ ସମୟ ଧରି ସେ ନିଜର ଏହି କାଫେକୁ ଚଳାଉଛନ୍ତି। ସେ ପ୍ରତିଦିନ ସକାଳ ୭ଟାରେ ଏହି କାଫେ ବାର୍‌କୁ ଖୋଲିଥାନ୍ତି। ଶୀତ ଋତୁରେ ସେ ଏହାକୁ ସା ୭ଟା ଏବଂ ଗ୍ରୀଷ୍ମରେ ରାତି ୯ଟାରେ ବନ୍ଦ କରିଥାନ୍ତି। ତାଙ୍କ ଦ୍ବାରା ପ୍ରସ୍ତୁତ କଫିକୁ ଲୋକମାନେ ଖୁବ୍‌ ପସନ୍ଦ କରନ୍ତି। ତେଣୁ ତାଙ୍କ କାଫେରେ ସର୍ବଦା ଭିଡ଼ ଲାଗିରହିଥାଏ ବୋଲି ଆନ୍ନା କହିଛନ୍ତି।

ଆହୁରି କହିଛନ୍ତି, ସେ ଗତ ୬୫ ବର୍ଷ ହେଲା ଛୁଟି ନେଇନାହାନ୍ତି। ଶେଷଥର ପାଇଁ ୧୯୬୦ରେ ସେ ପ୍ୟାରିସ୍‌କୁ ଏକ ୮ ଦିନିଆ ଛୁଟିରେ ଯାଇଥିଲେ। ଏହାପରଠାରୁ ସେ କେବେ ମଧ୍ୟ ତାଙ୍କ କାଫେ ବାର୍‌କୁ ବନ୍ଦ କରିନାହାନ୍ତି। ତାଙ୍କ କଫି ବାର୍‌ ବର୍ଷକୁ ୩୬୫ ଦିନ ଖୋଲା ରହିଥାଏ। ରବିବାର ଏବଂ ଅନ୍ୟାନ୍ୟ ଛୁଟିଦିନଗୁଡ଼ିକରେ ମଧ୍ୟ ସେ ଛୁଟି ନିଅନ୍ତି ନାହିଁ ବୋଲି ଆନ୍ନା କହିଛନ୍ତି। ଏବେ ମଧ୍ୟ ସେ ତାଙ୍କ କାଫେରେ ସକାଳୁ ରାତି ଯାଏ ଅଧିକାଂଶ କାମ ନିଜେ କରୁଥିବା ଆନ୍ନା କହିଛନ୍ତି।

ପୁରୁଣା ଦିନକୁ ମନେପକାଇ ଆନ୍ନା କହିଛନ୍ତି, ସମୟ ସହ ତାଙ୍କ କାଫେରେ ଗ୍ରାହକଙ୍କ ଚଳଣି ଏବଂ ସଂସ୍କୃତିରେ ପରିବର୍ତ୍ତନ ଘଟିଛି। ପୂର୍ବରୁ ତାଙ୍କ କାଫେରେ ଲୋକମାନେ ପରସ୍ପର ସହ ବସି କଥା ହେବାକୁ ପସନ୍ଦ କରୁଥିଲେ। ଏହାସହ ସେମାନେ ପରସ୍ପର ସହ ତାସ୍‌ ଖେଳୁଥିଲେ। କିନ୍ତୁ ଏବେ ତାଙ୍କ କାଫେରେ ଗ୍ରାହକମାନେ ଏପରି ନ କରି କେବଳ ନିଜ ମୋବାଇଲ ଫୋନ୍‌ରେ ବ୍ୟସ୍ତ ରହୁଥିବା ଆନ୍ନା କହିଛନ୍ତି। ଗତ ନଭେମ୍ବରରେ ଆନ୍ନା ତାଙ୍କ ୧୦୦ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସ୍ଥାନୀୟ ଲୋକେ ତାଙ୍କ କାଫେର ସାଇନବୋର୍ଡରେ ‘ସେଣ୍ଟ୍ରାଲ ଡେଲି’ ସହ ସେ ଇଟାଲୀର ସବୁଠାରୁ ବୟସ୍କା କାଫେ ମାଲିକ ହୋଇଥିବା ଲେଖି ଆନ୍ନାଙ୍କୁ ସର୍‌ପ୍ରାଇଜ ଦେଇଥିଲେ। ଏହାଦ୍ୱାରା ଗ୍ରାଣ୍ଡ ମା’ ଆନ୍ନାଙ୍କ କାଫେକୁ ଆସୁଥିବା ଗ୍ରାହକମାନେ ତାଙ୍କ ଉପଲବ୍ଧି ସମ୍ପର୍କରେ ଜାଣିପାରିବେ ବୋଲି ସେମାନେ କହିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button