ଦେଶ- ବିଦେଶ

ରାଷ୍ଟ୍ରପତିଙ୍କୁ ଅପମାନ: ତିନି ବରିଷ୍ଠ କଂଗ୍ରେସ ନେତାଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ: ଅଡ଼ୁଆରେ ପୂର୍ବତନ କଂଗ୍ରେସ ସଭାପତି ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ୱାୟନାଡ଼ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଏବେ ଏମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏହି ତିନି ବରିଷ୍ଠ କଂଗ୍ରେସ ନେତାଙ୍କ ବିରୋଧରେ ମୁଜାଫରପୁରର ସିଜେଏମ୍ କୋର୍ଟରେ ଏକ ମାମଲା ରୁଜୁ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଅପମାନ ଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଏହି ମାମଲା ଦାଏର ହୋଇଛି।

ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ପରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ କହିଥିଲେ ଯେ, ରାଷ୍ଟ୍ରପତିଙ୍କ ଭାଷଣ ସବୁ ମିଥ୍ୟା ପ୍ରତିଶ୍ରୁତି। ରାହୁଲ ରାଷ୍ଟ୍ରପତିଙ୍କ ଭାଷଣକୁ ବିରକ୍ତିକର ବୋଲି କହିଥିବା ବେଳେ ସୋନିଆ ଗାନ୍ଧୀ ବିଚରା ମହିଳା ବୋଲି କହି ରାଷ୍ଟ୍ରପତିଙ୍କୁ ଅପମାନିତ କରିଥିଲେ । ଏହାକୁ ନେଇ ମୁଜାଫରପୁରର ଆଇନଜୀବୀ ତଥା ଅଭିଯୋଗକାରୀ ସୁଧୀର କୁମାର ଓଝା ସିଜେଏମଙ୍କ କୋର୍ଟରେ ଅଭିଯୋଗ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ, ଯେତେବେଳେ ବଜେଟ୍ ଅଧିବେଶନରେ ଭାଷଣ ଶେଷ ହେବା ପରେ ରାଷ୍ଟ୍ରପତି ସଦନରୁ ବାହାରକୁ ଯାଉଥିଲେ ସେତେବେଳେ ରାହୁଲ, ସୋନିଆ ଏବଂ ପ୍ରିୟଙ୍କା ତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୈତିକ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି।

ଆଇନଜୀବୀ ସୁଧୀର ଓଝାଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଅଭିଯୋଗକୁ ମୁଜାଫରପୁର ସିଜେଏମ୍ କୋର୍ଟଙ୍କ ଦ୍ୱାରା ଗ୍ରହଣ କରାଯାଇଛି। ଏହି ମାମଲାର ଶୁଣାଣି ପାଇଁ ଫେବ୍ରୁଆରି ୧୦ ତାରିଖ ଧାର୍ଯ୍ୟ କରାଯାଇଛି। ଅଭିଯୋଗକାରୀ କହିଛନ୍ତି ଯେ, ରାଷ୍ଟ୍ରପତି ହେଉଛନ୍ତି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ। ତାଙ୍କ ବିରୋଧରେ ଦିଆଯାଇଥିବା କୌଣସି ମନ୍ତବ୍ୟକୁ ହାଲୁକା ଭାବେ ଗ୍ରହଣ କରାଯାଇପାରିବ ନାହିଁ। ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କୋର୍ଟଙ୍କୁ ଦାବି କରିଛନ୍ତି। ତେବେ କଂଗ୍ରେସ ଦଳ କିମ୍ବା ଗାନ୍ଧୀ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ମିଳିପାରି ନାହିଁ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button