ବିମାନରେ ନଡିଆ ନେବା ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ଏଣିକି ବିମାନରେ ନେଇପାରିବେନି ନଡିଆ । ବିମାନରେ ନଡ଼ିଆ ନେବା ସମ୍ପୂର୍ଣ୍ଣ ନିଷେଧ ନ ହଲେ ବି ଏଥିପାଇଁ କଠୋର ନିୟମ କରାଯାଇଛି? ଯଦି କେହି ଏହାକୁ ନ ମାନନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ନଡ଼ିଆ ଚେକ୍-ଇନ୍ ବ୍ୟାଗରେ ନେଇହେବ, କିନ୍ତୁ ଏଥିପାଇଁ କିଛି ନିୟମ ଅଛି । ଗୋଟା ନଡିଆ ନେବା ଉପରେ ପ୍ରତିବନ୍ଧକ ରହିଛି । ଏହାକୁ ଛୋଟ ଛୋଟ ଖଣ୍ଡ କରି ପ୍ୟାକ୍ କରି ନେଇପାରିବେ । ଇଣ୍ଡିଗୋ ଏୟାରଲାଇନ୍ସର ସରକାରୀ ୱେବସାଇଟ୍ ଅନୁଯାୟୀ, ଯାତ୍ରୀମାନେ ସେମାନଙ୍କର ଚେକ୍-ଇନ୍ ବ୍ୟାଗରେ ଛୋଟ ଛୋଟ ଖଣ୍ଡ ନଡ଼ିଆ ନେଇପାରିବେ, କିନ୍ତୁ ଶୁଖିଲା ଗୋଟା ନଡ଼ିଆ ସମ୍ପୂର୍ଣ୍ଣ ନିଷେଧ ।
ବିମାନରେ ନଡ଼ିଆ ନେବା ଉପରେ ପ୍ରତିବନ୍ଧକର ମୁଖ୍ୟ କାରଣ ହେଉଛି ଏହାର ଜ୍ୱଳନଶୀଳତା । ନଡ଼ିଆରେ ପ୍ରାକୃତିକ ଭାବରେ ତେଲ ଥାଏ, ଯାହା ଏହାକୁ ଜ୍ୱଳନଶୀଳ କରିଥାଏ । ବିଶେଷକରି ଶୁଖିଲା ନଡ଼ିଆ ଶୀଘ୍ର ନିଆଁ ଧରିପାରେ, ଯାହା ଉଡ଼ାଣ ସମୟରେ ସୁରକ୍ଷା ବିପଦକୁ ବୃଦ୍ଧି କରେ । ଏହି କାରଣରୁ ବିମାନ କମ୍ପାନୀଗୁଡ଼ିକ ବିମାନରେ ଶୁଖିଲା ନଡ଼ିଆ ନେଇ ଯିବାକୁ ଅନୁମତି ଦିଅନ୍ତି ନାହିଁ । ଓଦା ନଡ଼ିଆରେ ଆର୍ଦ୍ରତା ଥିବାରୁ ଏଥିରେ ନିଆଁ ଲାଗିବାର ସମ୍ଭାବନା ବହୁତ କମ୍, ତେଣୁ ଏହାକୁ ଖଣ୍ଡ ଖଣ୍ଡ କରି ନେବାକୁ ଅନୁମତି ଦିଆଯାଇଛି । ଅନେକ ଯାତ୍ରୀଙ୍କୁ ମନ୍ଦିର ପ୍ରସାଦ କିମ୍ବା ଧାର୍ମିକ ଉଦ୍ଦେଶ୍ୟରେ ନଡ଼ିଆ ବହନ କରିବାକୁ ପଡ଼େ, କିନ୍ତୁ ସୁରକ୍ଷା ନିୟମ ଯୋଗୁଁ ସେମାନେ ଏହାକୁ ସିଧାସଳଖ ବିମାନ ଭିତରକୁ ନେଇପାରିବେ ନାହିଁ ।