ରାଜ୍ୟ

୨୦ ଫୁଟ ତଳକୁ ଖସିଲା ତୀର୍ଥଯାତ୍ରୀ ବସ୍‌, ଚାଲିଗଲା ୪ ଜୀବନ

ବାଲେଶ୍ୱର: ଜାତୀୟ ରାଜପଥରୁ ୨୦ ଫୁଟ ତଳକୁ ଖସିପଡ଼ିଲା ତୀର୍ଥଯାତ୍ରୀ ବସ । ଫଳରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ୫୬ ଜଣ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ସିଦ୍ଧାର୍ଥନଗର ଜିଲ୍ଲା ଇଟୱା ଥାନା ଅଞ୍ଚଳର ରାମପ୍ରସାଦ ଯାଦବ (୫୫), ସାନ୍ତାରାମ ଯାଦବ (୬୦), ବଳରାମପୁର ଜିଲ୍ଲା ଗୌର ଚାଉରା ଥାନା ଅଞ୍ଚଳର ରାଜେଶ କୁମାର ମିଶ୍ରା (୫୮) ଓ କଲମା ଦେବୀ (୭୦) । ଆହତ ଓ ଗୁରୁତର ଯାତ୍ରୀମାନଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ପରେ ୨୫ ଜଣକ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା।
ଗତ ୧୮ ତାରିଖରେ ‘କ୍ରିଷ୍ଣା’ (ୟୁପି-୫୧-ଏଟି-୬୨୯୭) ନାମକ ଏକ ଘରୋଇ ବସ୍ ଉତ୍ତରପ୍ରଦେଶ ସିଦ୍ଧାର୍ଥନଗରରୁ ତୀର୍ଥଯାତ୍ରୀଙ୍କୁ ନେଇ ବାହାରିଥିଲା। ବସ୍‌ରେ କର୍ମଚାରୀଙ୍କ ସହ ସିଦ୍ଧାର୍ଥନଗର ଓ ବଳରାମପୁର ଜିଲ୍ଲାର ମୋଟ ୬୦ ଜଣ ଯାତ୍ରୀ ଥିଲେ। ସେମାନେ ବନାରସ, ଗୟା, ଗଙ୍ଗାସାଗର, କୋଲକତା ଆଦି ସ୍ଥାନ ବୁଲିଥିଲେ । ପରେ ଗତକାଲି ଅପରାହ୍ନ ୨ଟା ବେଳେ କୋଲକାତାର ବାବୁଘାଟରୁ ପୁରୀ ଅଭିମୁଖେ ବାହାରିଥିଲେ। ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଜଳେଶ୍ୱର ଥାନା ତରିବତପୁର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ୨୦ ଫୁଟ୍ ତଳ ବିଲକୁ ଓଲଟି ପଡ଼ିଥିଲା। ବସ୍ ତଳେ ଓ ଭିତରେ ଯାତ୍ରୀମାନେ ଚାପି ହୋଇ ରହିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଖବରପାଇ ଜଳେଶ୍ୱର ଥାନା ଆଇଆଇସି ରଞ୍ଜନ କୁମାର ସେଠୀ ଓ କର୍ମଚାରୀଙ୍କ ସହ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button