ଏଥର ବାଲିଯାତ୍ରାରେ ଆକର୍ଷଣ ପାଲଟିବେ ବଲିଉଡ଼ ଷ୍ଟାର
କଟକ: ଏଥର କଟକ ବାଲିଯାତ୍ରାରେ ମୁଖ୍ୟ ଆକର୍ଷର ପାଲଟିବେ ବଲିଉଡ଼ ଷ୍ଟାର । ହେବ ବଲିଉଡ୍ ନାଇଟ୍ ଶୋ’ । ଏନେଇ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ବୁଧବାର ବାଲିଯାତ୍ରା କଟକ ଉତ୍ସବ ୨୦୨୪ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବାଲିଯାତ୍ରା ପରିଚାଳନା ନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି ବୋଲି ଜିଲାପାଳ କହିଛନ୍ତି ।
ବାଲିଯାତ୍ରାର ଶୁଭାରମ୍ଭ ଭଜନରୁ କରାଯିବ। ବଲିଉଡ୍ କଣ୍ଠଶିଳ୍ପୀ ଅନୁପ ଜଲୋଟା ପ୍ରଥମ ଦିନରେ ଭଜନ ପରିବେଷଣ କରିବେ । ବାଲିଯାତ୍ରାରେ ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ୱାଡ୍କର ପୀୟୁଷ ମିଶ୍ରଙ୍କ ସଂଗୀତରେ ତିନିଦିନ ବଲିଉଡ୍ ନାଇଟ ମୁଖ୍ୟ ଆକର୍ଷଣ ପାଲଟିବ। ଏହାସହ ହମ୍ସୁଫି ବ୍ୟାଣ୍ଡ୍ ସଙ୍ଗୀତ ପରିବେଷଣ କରିବେ। ଓଲିଉଡ୍ ଏ-୧ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିବେ। ବାଲିଯାତ୍ରାରେ ପ୍ରଥମକରି ମହାନଦୀ ଉପରେ ଶୋ’ କରାଯିବ ଯେଉଁଥିରେ ୩୦୦ରୁ ୫୦୦ ଶୋ’ କରାଯିବ। ଏହାସହ ଲେଜର ଶୋ’ ଓ ସବୁଜ ଆତସବାଜି କରାଯିବ ବୋଲି ଜିଲାପାଳ କହିଛନ୍ତି।
ଅନ୍ୟପଟେ କଟକ-ଇନ-କଟକ ପରିସରରେ ଓ ଅସ୍ମିତା-ଓ ସିନେମା ପ୍ରଦର୍ଶନ କରାଯିବ। କଟକ-ଇନ୍-କଟକ ପରିସରରେ ଏକ ବୁକ୍ ଫେୟାର କରାଯିବ। ବାଲିଯାତ୍ରାକୁ ନେଇ ଏକ ସଙ୍ଗୀତ ତିଆରି କରାଯାଉଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହାର ମ୍ୟୁଜିକ୍ ବି ଉନ୍ମୋଚନ କରାଯିବ। ବାଲିଯାତ୍ରାର ଉପର ଓ ତଳ ପଡ଼ିଆରେ ସମୁଦାୟ ୧୨୦୦ ଷ୍ଟଲ୍ କରାଯିବ। ବାଲିଯାତ୍ରାରେ ନିଲାମ ପ୍ରକ୍ରିୟା ମାଧ୍ୟମରେ ବ୍ୟବସାୟୀମାନଙ୍କୁ ପ୍ଲଟ୍ ଆବଣ୍ଟନ କରାଯିବ। ସାମ୍ବାଦିକ ସମ୍ମିଳନୀରେ ସିଏମ୍ସି କମିଶନର ଅନାମ ଚରଣ ପାତ୍ର, ଅତିରିକ୍ତ ଦେବଦତ୍ତ କର, ଅତିରିକ୍ତ ଜିଲାପାଳ ଶିବ ଟେରା, ଅତିରିକ୍ତ ଜିଲାପାଳ ଦିବ୍ୟଲୋଚନ ମହାନ୍ତି, ଉପଜିଲାପାଳ କଟକ-ସଦର ଜ୍ୟୋତିଶଙ୍କର ରାୟ, ଜିଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।