ଶ୍ରୀମନ୍ଦିର ଉପରେ ପକ୍ଷୀ ମେଳି : ଏଥର ଅତି ଭୟଙ୍କର ହେବ ବାତ୍ୟା !
ପୁରୀ: ବାତ୍ୟା ଦାନାକୁ ନେଇ ସବୁଠି ଆଶା ଆଶଙ୍କା ଲାଗି ରହିଥିବା ବେଳେ ପୁରୀ ଜଗନ୍ନାଥ ମନ୍ଦିର ଉପରେ ଶହ ଶହ ସଂଖ୍ୟାରେ ବିଦେଶାଗତ ପକ୍ଷୀ ମେଳି ହୋଇ ଉଡ଼ିବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି । ଶ୍ରୀମନ୍ଦିର ଉପରେ ଦଳ ଦଳ ହୋଇ ପକ୍ଷୀ ଉଡ଼ୁଥିବା ଦେଖିବାକୁ ମିଳିଛି । ସାଧାରଣତଃ ପକ୍ଷୀମାନେ ଶ୍ରୀମନ୍ଦିର ଉପରେ ବହୁ ସଂଖ୍ୟାରେ ଦଳ ଦଳ ହୋଇ ଉଡ଼ି ବୁଲିବାକୁ ଲୋକେ ଅଶୁଭ ବୋଲି ମନେ କରୁଛନ୍ତି । ବାତ୍ୟା ସମୟରେ ଏଭଳି ସଙ୍କେତ କ’ଣ ସୂଚାଉଛି ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତିି ।
ରାତିରେ ଏତେ ସଂଖ୍ୟକ ପକ୍ଷୀ ଶ୍ରୀମନ୍ଦିର ଉପରେ ଦେଖି ପର୍ଯ୍ୟଟକଙ୍କ ଠାରୁ ସାଧାରଣ ଲୋକ ଭୟଭୀତ ହୋଇ ପଡ଼ିଛନ୍ତି। ଶହଶହ ପକ୍ଷୀ ପତିତପାବନ ବାନା ଚାରିପାଖେ ଗୋଲେଇ ହୋଇ ବୁଲୁଥିବାର ଦେଖିବାକୁ ମିଳିଛି । ସମୁଦ୍ରରେ ବାତ୍ୟା ଯୋଗୁ ପକ୍ଷୀ ମାନେ ଦିଗ ପରିବର୍ତ୍ତନ କରିଥିବା ଅନେକେ ଅନୁମାନ କରୁଛନ୍ତି। ହେଲେ ଆହୁରି ଅନେକ ଶ୍ରଦ୍ଧାଳୁଙ୍କ ମତରେ, ଶ୍ରୀମନ୍ଦିର ଉପରେ ଏପରି ଦୃଶ୍ୟ ଏକ ନକରାତ୍ମକ ସ୍ଥିତିକୁ ଆମନ୍ତ୍ରିତ କରିପାରେ । ଏଣୁ ଏହାକୁ ଏକ ଅଶୁଭ ସଙ୍କେତ ବୋଲି ମନେ କରାଯାଇପାରେ । ବିଶେଷକରି ଏଥର ବାତ୍ୟା ଆକଳନଠାରୁ ଅଧିକ ଭୟଙ୍କର ହେବ ବୋଲି ଲୋକେ ମତ ରଖିଛନ୍ତି ।