ମନ୍ତ୍ରୀ ଆସିବା ପୂର୍ବରୁ ଫଳକ ଗୁଣ୍ଡ କରିଦେଲେ ବ୍ଲକ୍ ଅଧ୍ୟକ୍ଷା
ପାଲଲହଡ଼ା : ପଞ୍ଚାୟତିରାଜ ମନ୍ତ୍ରୀ ଆସିବା ପୂର୍ବରୁ ଫଳକ ଗୁଣ୍ଡ କରିଦେଲେ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ନାୟକ । ବ୍ଲକର ସମସ୍ତ ଜିଲାପରିଷଦ, ସରପଞ୍ଚ ଏବଂ ସମିତିସଭ୍ୟଙ୍କୁ ସାଙ୍ଗରେ ନେଇ ଅଧ୍ୟକ୍ଷା ଫଳକକୁ ଏକ ହାତୁଡ଼ିରେ ବାଡ଼େଇ ବାଡ଼େଇ ଗୁଣ୍ଡ କରିଦେଇଥିଲେ । ଉଦ୍ଘାଟନୀ ଫଳକରେ ବ୍ଲକ ଅଧ୍ୟକ୍ଷାଙ୍କ ନାମ ନ ଥିବାରୁ ସେ ଏପରି କରିଥିବା ଜଣାଯାଇଛି ।
ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍ଘାଟନ ହେବାର କାର୍ଯ୍ୟକ୍ରମ ଥିଲା। ଅନେକ ଉଦଘାଟନୀ ଫଳକରେ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାୟକଙ୍କ ନାମ ନ ଥିଲା। ତେଣୁ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ସହ ଏହିସବୁ ଫଳକକୁ ଅଧ୍ୟକ୍ଷା ଭାଙ୍ଗି ଦେଇଥିଲେ। ବ୍ଲକର ସମସ୍ତ ଜିଲାପରିଷଦ, ସରପଞ୍ଚ ଏବଂ ସମିତିସଭ୍ୟଙ୍କୁ ସାଙ୍ଗରେ ନେଇ ଅଧ୍ୟକ୍ଷା ନାଏକ ପ୍ରଥମେ ସ୍ଥାନୀୟ ଶିବମନ୍ଦିରରେ ପହଞ୍ଚିଥିଲେ। ସେଠାରେ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ଉଦଘାଟନ ପାଇଁ ନିର୍ମିତ ଫଳକକୁ ଭାଙ୍ଗିଥିଲେ । ପରେ ଉପଖଣ୍ଡ ଡାକ୍ତରଖାନା ପରିସରରେ ଉଦ୍ଘାଟନୀ ଫଳକକୁ ଭାଙ୍ଗିଦେଇଥିଲେ।
ସେହିପରି ଉପଖଣ୍ଡ ଡାକ୍ତରଖାନା ପରିସରରେ ଉଦ୍ଘାଟନ ହେବାକୁ ଥିବା ଫଳକକୁ ପୋଲିସ ଜଗିଥିଲା। ବ୍ଲକ ଅଧ୍ୟକ୍ଷା ସେଠାରେ ପହଞ୍ଚିବା ପୂର୍ବରୁ ଡାକ୍ତରଖାନାର ମୁଖ୍ୟ ଫାଟକକୁ ପୋଲିସ ବନ୍ଦ କରିଦେଇଥିଲା । ଏହାକୁ ନେଇ ପୋଲିସ ଏବଂ ଲୋକପ୍ରତିନିଧିଙ୍କ ମଧ୍ୟରେ କିଛି ସମୟ ପାଟିତୁଣ୍ଡ ହୋଇଥିଲା । ପରେ ଅଧ୍ୟକ୍ଷା ନାୟକ ଏବଂ ବିଜୁ ଜନତା ଦଳ କର୍ମୀମାନେ ଜୋରଜବରଦସ୍ତ ଡାକ୍ତରଖାନା ପରିସରରେ ଧସେଇ ପଶି ଉକ୍ତ ଫଳକକୁ ମଧ୍ୟ ଭାଙ୍ଗିଦେଇଥିଲେ। ତେବେ ନିର୍ଦ୍ଧାରିତ ସମୟରେ ମନ୍ତ୍ରୀ ନାଏକ, ଏମପି ରୁଦ୍ରନାରାୟଣ ପାଣି, ବିଧାୟକ ଅଶୋକ ମହାନ୍ତି ଶିବ ମନ୍ଦିର ଏବଂ ଡାକ୍ତରଖାନା ପରିସରକୁ ଯାଇ ରିବନ କାଟି ପ୍ରକଳ୍ପ ଉଦଘାଟନ କରିଥିଲେ ।