ରାଜ୍ୟ

ରାଜଧାନୀରୁ ତଡ଼ା ହେବେ ବାଂଲାଦେଶୀ

ଭୁବନେଶ୍ବର: ରାଜଧାନୀରେ କେତେ ବାଂଲାଦେଶୀ ଅଛନ୍ତି ଚିହ୍ନଟ ହେବେ। ପ୍ରତି ଥାନା ଅଞ୍ଚଳରେ କେତେ ଅନୁପ୍ରବେଶକାରୀ ରହୁଛନ୍ତି ତା’ର ତଥ୍ୟ ବାହାର କରି କାର୍ଯ୍ୟାନୁଷ୍ଠାନ ନେବାକୁ ଭୁବନେଶ୍ବର ଡିସିପି ଜଗମୋହନ ମୀନା ନିର୍ଦ୍ଦେଶ ଦେଇଛନ୍ତି। ଆଜି ପୂର୍ବାହ୍ନରେ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗକୁ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ଭରତପୁର ଥାନାରେ ଆୟୋଜିତ ଅପରାଧ ନିୟନ୍ତ୍ରଣ ବୈଠକରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟକୁ ଗୁରୁତ୍ବ ଦିଆଯାଇଛି। ଡିସିପି ଶ୍ରୀ ମୀନା କହିଛନ୍ତି, ବାଂଲାଦେଶୀମାନେ ରାଜଧାନୀକୁ କେମିତି ଆସୁଛନ୍ତି, ଏଠାରେ ରହି କ’ଣ କରୁଛନ୍ତି, ତାହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବ। ଆବଶ୍ୟକ କାଗଜପତ୍ର ଦେଖାଇ ନପାରିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ। ଏହା ସହିତ ଜେଲ୍‌ ଫେରନ୍ତା ଅଭିଯୁକ୍ତ ଓ ଅନ୍ୟ ଅପରାଧୀଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ବିସ୍ତୃତ ପଦକ୍ଷେପ ନେବାକୁ ଡିସିପି କହିଛନ୍ତି। ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ହେଲେ ସେମାନଙ୍କୁ ତତକ୍ଷଣାତ ଗିରଫ, ଦେଶାନ୍ତର କିମ୍ବା ବାଂଲାଦେଶ ଦୂତାବାସ ଜରିଆରେ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବାଂଲା ଅନୁପ୍ରବେଶକାରୀଙ୍କ କୌଣସି ନିର୍ଦ୍ଦିଷ୍ଟ ହିସାବ ରହୁନଥିବାରୁ ସେମାନଙ୍କ ଅପରାଧର ତାଲିକା କାହା ପାଖରେ ନାହିଁ। ପୂର୍ବରୁ ରାଜଧାନୀରେ ବିଭିନ୍ନ ଅପରାଧ ମାମଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂପୃକ୍ତି ସାମନାକୁ ଆସିଛି। ନିକଟରେ ଭୁବନେଶ୍ବର ରେଳ ଷ୍ଟେସନ୍‌ ପାଖରୁ ବାଂଲାଦେଶୀ ଦଲାଲଙ୍କ ସମେତ ୧୦ ଜଣ ବାଂଲାଦେଶୀ ଧରାପଡ଼ିଥିଲେ। ଏଠାରେ ବିଭିନ୍ନ କାମ ଆଳରେ ଗୁପ୍ତଚର ଭ‌ାବେ କାର୍ଯ୍ୟ କରୁଥିବା କିମ୍ବା ଶତ୍ରୁ ରାଷ୍ଟ୍ରଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଉଥିବା ନେଇ ପୁଲିସ ଆଶଙ୍କା କରୁଛି। ତେଣୁ ସାମାଜିକ ଗଣମାଧ୍ୟମରେ ସେମାନଙ୍କର ବିଭିନ୍ନ ତଥ୍ୟକୁ ଯାଞ୍ଚ କରାଯିବ। ଧରାପଡ଼ିଲେ ଫରେନର୍ସ ଆକ୍ଟ ଅନୁଯାୟୀ ଅନୁପ୍ରବେଶକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ପରିପ୍ରେକ୍ଷୀରେ ସନ୍ଦିଗ୍ଧମାନଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ଡିସିପି ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ବହୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ରାଜଧାନୀର ସମସ୍ତ ଥାନାଧିକାରୀ ଉପସ୍ଥିତ ଥିଲେ।

ରାଜ୍ୟ ସରକାରଙ୍କ ତଥ୍ୟାନୁଯାୟୀ, ରାଜ୍ୟରେ ବର୍ତ୍ତମାନ ଦେଢ଼ଲକ୍ଷରୁ ଊର୍ଦ୍ଧ୍ବ ବାଂଲାଦେଶୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ବେଆଇନ ଭାବେ ପ୍ରାୟ ସାଢ଼େ ୪ହଜାର ବାଂଲାଦେଶୀ ରହୁଛନ୍ତି। କିନ୍ତୁ ଏହି ତଥ୍ୟଠାରୁ ବହୁ ଅଧିକ ବାଂଲାଦେଶୀ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହୁଥିବା ଅନୁମାନ କରାଯାଉଛି। ବିଶେଷ କରି ରାଜଧାନୀ ଏବଂ ରାଜଧାନୀ ଉପକଣ୍ଠରେ ବିଭିନ୍ନ କୋଠା ନିର୍ମାଣଠାରୁ ଆରମ୍ଭ କରି କବାଡ଼ିଆ, ବିଭିନ୍ନ ଫେରି ବ୍ୟବସାୟରେ ଏମାନେ ସଂପୃକ୍ତ ଥିବା ଅଭିଯୋଗ ହେଉଛି। ନିକଟ ଅତୀତରେ ଆଇନ ମନ୍ତ୍ରୀ ମଧ୍ୟ ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ବାଂଲାଦେଶୀ ରହୁଥିଲା ବେଳେ ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ତ୍ବରିତ କରାଯିବା ଉପରେ ବିଭିନ୍ନ ମହଲ ଗୁରୁତ୍ବାରୋପ କରିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button