ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ ମାର୍ଲେନା। ଶନିବାର ବିଜେପି ଦିଲ୍ଲୀ ଆସନ କବଜା କରିବା ପରେ ଦିଲ୍ଲୀ ସଚିବାଳୟ ସିଲ୍ କରାଯାଇଥିଲା। ଆଉ ବିଜେପିର ଏହି ଐତିହାସିକ ବିଜୟ ପରେ ଶୁଭେଚ୍ଛା ଜଣାଇବା ସହ ନିଜ ଦଳର ହାରକୁ ସ୍ୱୀକାର କରିଥିଲେ ଆପ୍ ମୁଖିଆ ଅରବିନ୍ଦ କେଜ୍ରିୱାଲ। ଆଉ ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ ।
ଏହା ଏକ ଚିରାଚରିତ ପ୍ରକ୍ରିୟା। ପ୍ରତି ନିର୍ବାଚନ ଶେଷ ହେବା ପରେ ପୂର୍ବରୁ କାର୍ଯ୍ୟରେ ଥିବା ମୁଖ୍ୟମନ୍ତ୍ରୀ ବା ପଦାଧିକାରୀ ନିଜ ପଦରୁ ଇସ୍ତଫା ଦେଇଥାନ୍ତି। ଠିକ୍ ସେହିପରି ଗତକାଲି ଦିଲ୍ଲୀରେ ବିଜେପି ଅପ୍ରତ୍ୟାଶିତ ଭାବରେ ବିଜୟୀ ହୋଇଛି। ଆଉ ଆପ୍ ଧରାଶାୟୀ। ତେଣୁ ଚିରାଚରିତ ନିୟମ ଅନୁସାରେ ଆଜି ସକାଳୁ ସକାଳୁ ରାଜଭବନ ଯାଇ ବିଧିବଦ୍ଧ ଭାବରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ ।
ଯଦି ଦିଲ୍ଲୀର ନିର୍ବାଚନ ଫଳାଫଳ ଉପରେ ନଜର ପକାଇବା। ତାହାଲେ ବିଜେପି ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ସରକାର ଗଢ଼ିପାରିଛି। ଆଉ ୧୦ ବର୍ଷର ସରକାର ଉପରୁ ଦିଲ୍ଲୀବାସୀ ଭରସା ଉଠାଇ ନେଇଛନ୍ତି। ସରକାର ବଦଳାଇବାକୁ ଚାହିଁଛନ୍ତି ଭୋଟର। ଆଉ ସରକାର ବଦଳାଇ ବି ଦେଇଛନ୍ତି। ଯାହା କେବେ ଆପ୍ କଳ୍ପନା ବି କରି ନ ଥିଲା ତାହା ଏବେ ଦିଲ୍ଲୀରେ ଘଟିଛି। ଆଉ ରାଜଧାନୀରେ ଆସିଛି ଡ଼ବଲ ଇଞ୍ଜିନ ସରକାର।