ପ୍ରଥମ ମହିଳା ପାଇଲଟ ଭାବେ ଅନୁଷ୍କା ଉଡ଼ାଇବେ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଯୁଦ୍ଧ ବିମାନ ଉଡ଼ାଇବେ ମହିଳା । ଫ୍ଲାଇଂ ଅଫିସର ଅନୁଷ୍କା ସିଂହ ପ୍ରଥମ ମହିଳା ଯିଏ କି ଯୁଦ୍ଧ ବିମାନ ଜଗୁଆର ଉଡ଼ାଇବାର ଗୌରବ ହାସଲ କରିଛନ୍ତି । ଭାରତୀୟ ବାୟୁସେନା ଇତିହାସରେ ଏହା ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଫ୍ଲାଇଂ ଅଫିସର ଅନୁଷ୍କା ସିଂହ ଜଗୁଆର ଫାଇଟର ଜେଟ ସ୍କ୍ୱାଡ୍ରନରେ ସ୍ଥାୟୀ ଚାକିରି ପାଇଥିବା ପ୍ରଥମ ମହିଳା ପାଇଲଟ ଭାବେ ଯୁଦ୍ଧ ବିମାନ ଉଡ଼ାଇବେ । ଏହାକୁ ନେଇ ଅନୁଷ୍କା ଚର୍ଚ୍ଚାରେ ରହିଛନ୍ତି। ଏବେ ଅନୁଷ୍କା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।
ଏହା ଅନୁଷ୍କାଙ୍କ ବ୍ୟକ୍ତିଗତ ସଫଳତା ହେବା ସହିତ ଭାରତୀୟ ବାୟୁସେନାରେ ମହିଳାଙ୍କ ଯୋଗଦାନର ଏହା ବଡ଼ ସଙ୍କେତ ଅଟେ। ଯେଉଁ ମହିଳାମାନେ ଆକାଶକୁ ଛୁଇଁବାର ସ୍ୱପ୍ନ ଦେଖୁଛନ୍ତି ସେମାନଙ୍କ ପାଇଁ ଅନୁଷ୍କା ସିଂହ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଅନୁଷ୍କାଙ୍କ ପରିବାର ସର୍ବଦା ଦେଶର ସେବାରେ ଯୋଡ଼ି ହୋଇ ରହିଛନ୍ତି। ଅନୁଷ୍କାଙ୍କ ବାପା ଓ ଜେଜେବାପା ଭାରତୀୟ ସେନାରେ ନିଜର ଯୋଗଦାନ ଦେଇ ସାରିଛନ୍ତି। ଏହି କାରଣରୁ ଅନୁଷ୍କାଙ୍କ ମନ ଭିତରେ ପିଲାଟି ଦିନରୁ ଦେଶର ସେବା ପାଇଁ ଦୁର୍ବଳତା ରହି ଆସିଥିଲା।
ଅନୁଷ୍କା ଉତ୍ତରପ୍ରଦେଶର ବାସିନ୍ଦା ଥିବା ବେଳେ ୨୦୦୭ରୁ ସେ ମାଙ୍ଗାଲୁରରେ ରହି ଆସୁଛନ୍ତି। ତେବେ କିଛି ମହିଳା ପାଇଲଟ ପ୍ରଶିକ୍ଷଣ ସମୟରେ ଜଗୁଆର ଯୁଦ୍ଧ ବିମାନ ଉଡ଼ାଇଛନ୍ତି। କିନ୍ତୁ ଫ୍ଲାଇଂ ଅଫିସର ଅନୁଷ୍କା ପ୍ରଥମ ମହିଳା ଯାହାଙ୍କୁ ସ୍ଥାୟୀ ଭାବେ ଏହି ସ୍କ୍ୱାଡ୍ରନରେ ସାମିଲ କରାଯାଇଛି। ଏହି ଯୁଦ୍ଧ ବିମାନ ଲକ୍ଷ୍ୟଭେଦ କରିବାରେ ଆଗୁଆ ରହିଛି।