ପୁଣି ବଡ଼ଧରଣର ଦୁର୍ଘଟଣା: ହୁତୁହୁତୁ ହୋଇ ଜଳିଗଲା ଟ୍ରେନ
ଚେନ୍ନାଇ: ପୁଣି ଘଟିଛି ଆଉ ଏକ ବଡ ଧରଣର ଟ୍ରେନ୍ ଦୁର୍ଘଟଣା । ତାମିଲନାଡ଼ୁର ତିରୁବଲ୍ଲୁରରେ ହୁତୁହୁତୁ ହୋଇ ଜଳିଗଲା ଏକ ଟ୍ରେନ୍ । ବିହାରର ଦରଭଙ୍ଗା ଯାଉଥିବା ବାଗମତୀ ଏକ୍ସପ୍ରେସ୍ (୧୨୫୭୮) ସହ ମାଲବାହୀ ଟ୍ରେନ୍ର ଧକ୍କା ହୋଇଛି। ଫଳରେ ବାଗମତୀ ଏକ୍ସପ୍ରେସ୍ର ୧୨ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ଦୁଇଟି ବଗି ଜଳିଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ନିଆଁ ଲିଭାଇବା ଆରମ୍ଭ ହୋଇଛି। ଏହି ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଦୁର୍ଘଟଣା ସମୟରେ ଏକ୍ସପ୍ରେସ୍ ଟ୍ରେନ୍ର ବେଗ ଘଣ୍ଟା ପ୍ରତି ୭୫ କିମି ଥିଲା ଏବଂ ମାଲବାହୀ ଗାଡ଼ି ପାଇଁ ଉଦ୍ଦିଷ୍ଟ ଲୁପ୍ ଲାଇନ୍ରେ ଏହା ପ୍ରବେଶ କରି ଧକ୍କା ହୋଇଥିଲା ବୋଲି ଜଣାପଡ଼ିଛି।
ଚେନ୍ନାଇ ନିକଟ କାଭରପଟ୍ଟାଇ ଷ୍ଟେସନ ନିକଟରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍କୁ ଦ୍ରୁତ ଗତିରେ ଆସୁଥିବା ମହୀଶୂର-ଦରଭଙ୍ଗା ବାଗମତୀ ଏକ୍ସପ୍ରେସ୍ ଧକ୍କା ଦେଇଥିଲା। ଏହା ପରେ ଦୁଇଟି ବଗିରେ ତତ୍କ୍ଷଣାତ ନିଆଁ ଲାଗିଯାଇଥିଲା। ଚେନ୍ନାଇ ରେଳ ଡିଭିଜନ୍ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ୦୪୪-୨୫୩୫୪୧୫୧, ୦୪୪-୨୪୩୫୪୯୯୫ ଜାରି ହୋଇଛି।