ଚଢ଼ା ଦରରେ ସାମଗ୍ରୀ ବିକୁଥିବା ଦେଖିଲେ କରନ୍ତୁ ଏହି ନମ୍ବରରେ ଅଭିଯୋଗ
ଭୁବନେଶ୍ୱର: ବାତ୍ୟା ଦାନାକୁ ନେଇ ଲୋକେ ଏବେ ଆତଙ୍କିତ ହୋଇ ରହିଛନ୍ତି । ବାତ୍ୟା ପୂର୍ବରୁ ରାଜଧାନୀରେ ପରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସରକାରଙ୍କ କଥାକୁ ଖାତିର ନ କରି ଚଢା ଦରରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ବେପାରି । ବାତ୍ୟା ପୂର୍ବରୁ ଖାଦ୍ୟ ସାମଗ୍ରୀ ଘରେ ସାଇତି ରଖିବାକୁ ବଜାରରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି । ଏକ ନମ୍ବର ହାଟଠାରୁ ଆରମ୍ଭ କରି ନୟାପଲ୍ଲୀ, ବରଗଡ଼,ଭିଏସଏସ ନଗର, ପଳାଶୁଣି, ୪ ନମ୍ବର ମାର୍କେଟ ଆଦି ସବୁଠି ଦେଖାଦେଇଛି ଅସମ୍ଭାଳ ଭିଡ଼। ଏନେଇ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବଜାରରେ ପ୍ରଚୁର ପରିମାଣର ସାମଗ୍ରୀ ମହଜୁଦ ଥିବା ଏବଂ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତି ଥିବା ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ କିଣି ଘରେ ନ ରଖିବା ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ପାତ୍ର ଜନସାଧାରଣ ମାନଙ୍କୁ ନିବେଦନ କରିଛନ୍ତି । ସେହିଭଳି ଏହାର ସୁଯୋଗ ନେଇ ବ୍ୟବସାୟୀ ମାନେ ମୂଲ୍ୟବୃଦ୍ଧି ନ କରିବା ପାଇଁ ମଧ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯଦି କେହି ଚଢା ଦରରେ ସାମଗ୍ରୀ ବିକ୍ରି କରନ୍ତି, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରେ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ବିଭାଗୀୟ ଅଧିକାରୀ ମାନେ ଅନେକ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଯୋଗାଣ ବିଭାଗ ପକ୍ଷରୁ ଏକ ନଂ ଓ ଚାରି ନଂ ମାର୍କେଟ, ଇନ୍ଦ୍ରଧନୁ ମାର୍କେଟ, ଡମଣା, ବଡଗଡ଼, ସହିଦ ନଗର ଆଦି ଅଞ୍ଚଳରେ ଚଢ଼ାଉ କରାଯାଇଛି । ବାତ୍ୟାର ଫାଇଦା ନେଇ ଅନାବଶ୍ୟକ ଭାବେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଟେଲିଫୋନ ନଂ ଜାରି କରାଯାଇଛି । ଏହି ନମ୍ବରଟି ହେଉଛି -୦୬୭୪-୨୩୯୬୨୨୭ ।