ବାବା ସିଦ୍ଧିକିଙ୍କ ହତ୍ୟା ପରେ ଭାଇଜାନଙ୍କ ସବୁ ସୁଟିଂ ବନ୍ଦ
ମୁମ୍ବାଇ: ବନ୍ଦ ହେଲା ବଲିଉଡ଼ର ଭାଇଜାନ ସଲମାନ ଖାନ୍ଙ୍କ ସବୁ ଫିଲ୍ମ ସୁଟିଂ । ବାବା ସିଦ୍ଧିକିଙ୍କୁ ହତ୍ୟା ପରେ ଅନିଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମର ସୁଟିଂ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବାତିଲ କରିଛନ୍ତି ନିଜେ ଭାଇଜାନ। ତାଙ୍କ ଘର ଆଗରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି । ଅନ୍ୟପଟେ ସଲମାନଙ୍କ ପାଇଁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି ।
ବାବା ସିଦ୍ଦିକିଙ୍କ ହତ୍ୟା ଘଟଣାକୁ ନେଇ ଭାଇଜାନ୍ ଚିନ୍ତିତ ହୋଇପଡ଼ିଛନ୍ତି । ଘରେ ଏକାକୀ ରହିବା ସହ ପରିବାର କିମ୍ବା ବାହାର ଲୋକଙ୍କୁ ଭେଟିବା ବନ୍ଦ କରିଦେଇଛନ୍ତି । ବାବାଙ୍କ ଅନ୍ତିମ ସତ୍କାରରୁ ଫେରିବା ପରେ ସେ ଭାବବିହ୍ୱଳ ହୋଇପଡ଼ିଥିଲେ। ସଲମାନ ଓ ବାବା ସିଦ୍ଧିକି ବେଶ୍ ନିକଟତର ଥିଲେ। ଦୀର୍ଘ ୪ ଦଶନ୍ଧି ଧରି ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା।
ସେପଟେ ବାବା ସିଦ୍ଦିକି ହତ୍ୟା ଘଟଣାରେ ଜୋରସୋରରେ ତଦନ୍ତ ଚାଲିଛି। ଏହି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ ବି କରି ସାରିଲାଣି । ସେମାନେ ହେଲେ ହରିୟାଣାର ଗୁରୁମେଲ ଏବଂ ୟୁପିର ଧର୍ମରାଜ । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଖୋଳତାଡ଼ ଚଳାଇଛି ପୋଲିସ। ମୁମ୍ବାଇ କୋର୍ଟ ଗୁରୁମେଲକୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛି । ଧର୍ମରାଜ ନିଜକୁ ନାବାଳକ ବୋଲି ଦର୍ଶାଇଥିବା ବେଳେ ସେ ସାବାଳକ ବୋଲି ଯାଞ୍ଚରୁ ଜଣାଯାଇଛି । ପରେ ତାଙ୍କୁ ୨୧ ଯାଏ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି ।