ରାଜ୍ୟ

୧୨ ବର୍ଷର ସାନଭାଇକୁ ଛୁରି ଭୁସି ହତ୍ୟାକଲା ୧୭ ବର୍ଷୀୟ କିଶୋର

ଟିଟିଲାଗଡ଼: ଜଣେ ୧୭ ବର୍ଷର ନାବାଳକ ନିଜ ୧୨ ବର୍ଷୀୟ ସାନଭାଇକୁ ଛୁରି ଭୁସି ହତ୍ୟା କରିବା ଘଟଣା ଟିଟିଲାଗଡ଼ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଭୟ ହତ୍ୟାକାରୀ ଓ ମୃତକ ଦୁଇଜଣ ଯାକ ନାବାଳକ ଥିବାରୁ ଘଟଣାକୁ ଗୁରୁତ୍ବର ସହ ନେଇଛି ପୁଲିସ। ବଲାଙ୍ଗୀର ଏସ୍‌ପି ଅଭିଳାଷ ଜି ଟିଟିଲାଗଡ଼ ଆସି ତନାଘନା କରିବା ସହ ଅଭିଯୁକ୍ତ ନାବାଳକକୁ ନେଇ ସିନ୍ ରିକ୍ରିଏସନ୍ କରାଇଛନ୍ତି। ହତ୍ୟାରେ ବ୍ୟବହୃତ ଛୁରି ଜବତ କରାଯିବା ସହ ନାବାଳକର ଗଳିତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଟିଟିଲାଗଡ଼ ହାଟପଦାପଡ଼ା ଗୋରୁବଜାରର ଜଣେ ୧୨ ବର୍ଷର ବାଳକ ଗତ ଜୁନ ମାସ ୨୮ ତାରିଖ ରଥଯାତ୍ରା ଦିନ ଘରୁ ନିଖୋଜ ଥିବା ନେଇ ୨୯ ତାରିଖରେ ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଏକ ମାମଲା ରୁଜୁ କରି କଳାହାଣ୍ଡି, ନୂଆପଡ଼ା ଜିଲ୍ଲା ସମେତ ଛତିଶଗଡ଼ର ରାୟପୁର ଅଞ୍ଚଳରେ ବହୁ ଖୋଜାଖୋଜି କରି ନିରାଶ ହେବା ପରେ ବିଭିନ୍ନ ଥାନାମାନଙ୍କୁ ନାବାଳକର ଫଟୋ ପଠାଇ ତଦନ୍ତ ଜାରି ରଖିଥିଲା। ହେଲେ କୌଣସି ସୁରାକ ନ ପାଇବାରୁ ଡିଆଇଜି ତଥା ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁଣି ନିଖୋଜ ନାବାଳକର ମାତାପିତାଙ୍କୁ ପୁଲିସ ପଚରାଉଚୁରା କରିଥିଲା। ଘଟଣା ଦିନ ଘରେ ବଡ଼ ପୁଅ ଫିନାଇଲରେ ଘର ସଫା କରୁଥିବା ସେମାନେ କହିଥିଲେ। ଏହି ବୟାନ ପରେ ପୁଲିସ ବଡ଼ଭାଇକୁ ଆଣି ପଚରାଉଚରା କରିବା ପରେ ଘଟଣାର ଖିଅ ପାଇଥିଲା। ତେବେ ଏସ୍‌ପି ଆଜି ସାମ୍ବାଦିକ ସମ୍ମିଳନୀରେ ହତ୍ୟାକାଣ୍ଡ ପଛର ଗୁମର ଖୋଲିଛନ୍ତି। ଉକ୍ତ ପରିବାରରେ ମା’ ବାପା ବଡ଼ପୁଅ ଅପେକ୍ଷା ସାନପୁଅକୁ ଅଧିକ ଆଦର କରୁଥିଲେ, ଯାହା ବଡ଼ଭାଇ ସହ୍ୟ କରିପାରୁ ନଥିଲା।

ଘଟଣା ଦିନ ସନ୍ଧ୍ୟାରେ ପନିପରିବା କାଟିବାକୁ ଥିବା ଏକ ଛୋଟ ଛୁରିରେ ସାନଭାଇର ପେଟରେ ଆକ୍ରମଣ କରିବା ଯୋଗୁଁ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିଲା। ଏହା ପରେ ଘର ପଛପଟେ ମାଟି ଖୋଳି ମୃତଦେହ ପୋତି ଦେଇଥିଲା ବୋଲି ଏସ୍‌ପି କହିଛନ୍ତି। ଆଇନ ଅନୁଯାୟୀ ପୁଲିସ ହତ୍ୟାକାରୀ ନାବାଳକକୁ କିଶୋର ନ୍ୟାୟ ବୋର୍ଡକୁ ପଠାଇଥିବା ଏସ୍‌ପି ସୂଚନା ଦେଇଛନ୍ତି। ତେବେ ଏତେ ବଡ଼ ଘଟଣା ସମ୍ପର୍କରେ କେମିତି ପାଖ‌ପଡ଼ୋଶୀ ଜାଣି ପାରିଲେ ନାହିଁ ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ପୁଣି ଏକୁଟିଆ ରାତିଅଧିଆ କେମିତି ଶବକୁ ଏକା ବୋହିନେଇ ଯମୁନା ନାଳ କୋଣରେ ଗାତ ଖୋଳି ପୋତିଦେଲା, ତାହା ମଧ୍ୟ ସମସ୍ତଙ୍କୁ ଚକିତ କରିଛି। ପରିବାରରେ ଆଦର ନ ମିଳିବାରୁ ୧୭ ବର୍ଷୀୟ କିଶୋର ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ନେଇ ପୁଲିସ ଶୁଣାଉଥିବା କାହାଣୀକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ହତ୍ୟାକାଣ୍ଡରେ ମୃତ ନାବାଳକର ବଡ଼ଭାଇକୁ କିଏ ସହଯୋଗ କରିଛନ୍ତି, ତାହା ଏବେ ବି ରହସ୍ୟ ଘେରରେ ରହିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button