ରାଜ୍ୟ

ଅଧରାତିରେ ଗର୍ଭଯନ୍ତ୍ରଣାରେ ଛଟପଟ ପ୍ରସୂତି: ଆମ୍ବୁଲାନ୍ସ ରଖି ଶୋଇପଡ଼ିଲା ଡ୍ରାଇଭର

ପାରଳାଖେମୁଣ୍ଡି/ମୋହନା: ଗଜପତି ଜିଲ୍ଲାରେ ଜନନୀ ଯନ୍ତ୍ରଣା ଭଳି ଘଟଣା କିଛି ନୂଆ ନୁହେଁ। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଆଉ ଏକ ବିକଳ ଚିତ୍ର ଉଦ୍‌ବେଗର କାରଣ ସାଜିଛି। ମଦନିଶାରେ ଚୁର୍‌ ଥିବା ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ପ୍ରସୂତିଙ୍କୁ ଡାକ୍ତରଖାନା ପହଞ୍ଚାଇବା ବଦଳରେ ରାସ୍ତାକଡ଼ରେ ଆମ୍ବୁଲାନ୍ସ ରଖି ନିଘୋଡ଼ ନିଦରେ ଶୋଇ ପଡ଼ିଥିଲେ। ସାଙ୍ଗରେ ଥିବା ପରିବାର ଲୋକେ ତାଙ୍କୁ ଉଠାଇବା ପରେ ମଧ୍ୟ ସେ ଉଠି ନଥିଲେ। ସେପଟେ ଅନ୍ଧାର ରାତିରେ ଗର୍ଭ ଯନ୍ତ୍ରଣାରେ ପ୍ରସୂତି ଛଟପଟ ହୋଇଥିଲେ। ଶେଷରେ ପରିବାର ଲୋକେ ବାଧ୍ୟ ହୋଇ ବିଳମ୍ୱିତ ରାତିରେ ଅନ୍ୟ ଏକ ଘରୋଇ ଗାଡ଼ି ଭଡ଼ା କରି ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ୍ କାନିକିପଦର୍‌ ଗାଁର ବିଜୟ ରଇତଙ୍କ ପତ୍ନୀ ନନ୍ଦିନୀ ରଇତଙ୍କ ଗର୍ଭଯନ୍ତ୍ରଣା ହେବାରୁ ବିଳମ୍ବିତ ରାତିରେ ପରିବାର ଲୋକେ ତାଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ପ୍ରସବଜନିତ ଜଟିଳ ଅବସ୍ଥା ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁ ଚନ୍ଦ୍ରଗିରି ସ୍ବାସ୍ଥ୍ୟକେନ୍ଦ୍ରରୁ ରାତିରେ ବ୍ରହ୍ମପୁର ଯିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ବେପରୁଆ ଗାଡ଼ି ଚାଳନା କରିଥିଲା। ଏଥିରେ ପରିବାର ଲୋକ ଓ ପ୍ରସୂତି ଭୟଭୀତ ହୋଇ ଆମ୍ବୁଲାନ୍ସକୁ ଠିକ ଭାବେ ଚଳାଇବାକୁ ନିବେଦନ କରିଥିଲେ। ହେଲେ ମଦ ନିଶାରେ ଥିବା ଡ୍ରାଇଭର କିଛି ବାଟ ଗଲାପରେ ଆଉ ଆମ୍ବୁଲାନ୍ସକୁ ଚଳାଇ ପାରିନଥିଲା। ଅଧା ରାସ୍ତାରେ ଆମ୍ବୁଲାନ୍ସ ରଖି ଗଭୀର ନିଦରେ ଶୋଇ ଯାଇଥିଲା।
ଏପଟେ ଆସନ୍ନ ପ୍ରସବା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ନିରୁପାୟ ହୋଇ ପଡ଼ିଥିଲେ।

ଅନ୍ଧାର ରାତିରେ ଅଧାବାଟରେ ଅଟକି ରହିଥିବାବେଳେ କିଛି ଉପାୟ ପାଇନଥିଲେ। କୌଣସିପ୍ରକାର ଏକ ଭଡ଼ାଗାଡ଼ି ଯୋଗାଡ଼ କରି ଶେଷରେ ସେମାନେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ପହଞ୍ଚିଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀଙ୍କୁ ଯୋଗାଯୋଗ କରାଯିବା ପରେ ତୁରନ୍ତ ଘଟଣାର ତଦନ୍ତ କରାଯାଇଥିଲା। ଏଭଳି କାର୍ଯ୍ୟ ଯୋଗୁଁ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଦାୟିତ୍ବରୁ ଅନ୍ତର କରାଯାଇଥିବା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ଏହା ସହ ସଂପୃକ୍ତ ଡ୍ରାଇଭରଙ୍କ ନାମରେ ଆପରାଧିକ ମାମଲା ନିମନ୍ତେ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button