ରାଜ୍ୟ

ମୋଦୀଙ୍କ ୭୫ତମ ଜନ୍ମଦିନରେ ଲାଗିବ ୭୫ ଲକ୍ଷ ଗଛ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୭୫ବର୍ଷ ହେବ। ଏହି ଉପଲକ୍ଷେ ରାଜ୍ୟବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ଏକ ନିଆରା ଉପହାର ପ୍ରଦାନ କରିବେ। ମୋଦୀଙ୍କ ୭୫ତମ ଜନ୍ମ ଦିନ ଅବସର‌ରେ ସାରା ରାଜ୍ୟରେ ‘ଏକ୍ ପେଡ୍‌ ମାକେ ନାମ୍’ ଅଭିଯାନରେ ୭୫ଲକ୍ଷ ଗଛ ଲଗାଯିବ। ଏହାହିଁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଉପହାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜି ଲୋକସେବା ଭବନରେ ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକରେ ଶ୍ରୀ ମାଝୀ କହିଛନ୍ତି ଯେ ଏହି ଅଭିଯାନ ଏବେ ଜନଆନ୍ଦୋଳନରେ ପରିଣତ ହୋଇଛି। ଗତ ବର୍ଷ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତା’ର ଲକ୍ଷ୍ୟ ଅତିକ୍ରମ କରି ୬.୭୨ କୋଟି ଗଛ ଲଗାଇବା ସହ ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏ ବର୍ଷ ୭.୫ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି । ଏହାସହ କେବଳ ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲଗାଯାଇ ରେକର୍ଡ ସୃଷ୍ଟି କରାଯିବ। ଏହି କାର୍ଯ୍ୟକ୍ରମ ଯେପରି ସଫଳ ହେବ ସେଥିପାଇଁ ବିଭିନ୍ନ ସଂସ୍ଥାକୁ ସାମିଲ କରିବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଜଙ୍ଗଲ ବିଭାଗ ଓ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଦାୟିତ୍ବ ରହିଥିଲେ ହେଁ ବିଭିନ୍ନ ସରକାରୀ ବିଭାଗ ସହିତ ପିଏସ୍‌ୟୁ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନ ଯୁବକ ସଂଘ ଆଦିକୁ ସାମିଲ କରାଯିବାର ଆବଶ୍ୟକତା ରହିଛି। ପଞ୍ଚାୟତ ପ୍ରତିଷ୍ଠାନ, ସ୍କୁଲ, କଲେଜ, ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରମୁଖଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ କରିବା ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି।

ଏହା ସହ କିପରି ଯେଉଁ ଗଛ ଲଗାଯିବ ସେଗୁଡ଼ିକର କିପରି ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯାଇପାରିବ ସେନେଇ ପ୍ରତ୍ୟେକ ସରକାରୀ କର୍ମଚାରୀ ଓ ଜନସାଧାରଣ ଦାୟିତ୍ବବାନ ହେବାକୁ କୁହାଯାଇଛି। କେଉଁ ଅଞ୍ଚଳରେ କେଉଁଭଳି ଗଛ ଲାଗିବ ସେନେଇ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇ କହିଛନ୍ତି, ଗୋଷ୍ଠୀ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ପଥପାର୍ଶ୍ବ ଚାରା ରୋପଣ ଏବଂ ବ୍ୟକ୍ତିଗତ ବୃକ୍ଷ ରୋପଣ ପାଇଁ ନିମ୍ବ, କରଞ୍ଜ, ତେନ୍ତୁଳି, ଫାସୀ, ଅର୍ଜୁନ, ହରିଡ଼ା, ବାହାଡ଼ା, ପଣସ, ତାଳ, ପିଜୁଳି, କୃଷ୍ଣଚୁଡ଼ା, ପିପଳ, ବରବଛା, ଅଶୋକ, ଜାମୁ, କଦମ୍ବ, ଅଁଳା, ଦେବଦାରୁ, ସୁନାରୀ, କରଞ୍ଜ, ଚାକୁଣ୍ଡା ଇତ୍ୟାଦି ଗଛ ଲାଗିପାରିବ। ଯେଉଁଠି ଗଛ ଲାଗିବ ତା‌’ର ଫଟୋ ଓ ଡାଟା ମେରି ଲାଇଫ୍‌ ପୋର୍ଟାଲରେ ଅପ୍‌ଲୋଡ ହେବ। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଗ୍ରାମାଞ୍ଚଳରେ ପଞ୍ଚାୟତ ଅଧିକାରୀମାନେ ଏହାର ତଦାରଖ କରିବେ। ଭଲ ପ୍ରଦର୍ଶନ କ୍ଷେତ୍ରରେ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ସ୍ତରରେ ପୁରସ୍କାର ବ୍ୟବସ୍ଥା ଦିଆଯିବ।

ବୈଠକରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ଜଙ୍ଗଲ ବାହିନୀ ମୁଖ୍ୟ ସୁରେଶ ପନ୍ଥ, ପ୍ରଧାନମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପି.କେ. ଝା, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ସଚିବ ଶୁଭା ଶର୍ମା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଏସ୍‌.ଏନ୍‌ ଗିରିଶ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ ଦାସ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଚଳିତବର୍ଷ ଜୁନ୍ ୫ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିଥିବା ‘ଏକ ପେଡ୍ ମା କେ ନାମ୍ ୨.୦’ରେ ରାଜ୍ୟରେ ସର୍ବନିମ୍ନ ୭.୫କୋଟି ଚାରା ରୋପଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button