ରାଜ୍ୟ

ବଞ୍ଚି ଥାଉ ଥାଉ ଶୁଦ୍ଧି ହେଲେ ପରିବାର ଲୋକ: କାଉ ମିଳନ ଦେଖିବାରୁ ଯୁବକଙ୍କୁ ଦଣ୍ଡ

ଜୟପୁର: କାଉ ମିଳନ ଦେଖିଲେ ବୋଲି ଦୁଇ ଯୁବକଙ୍କୁ ମିଳିଛି ଅଜବ ଦଣ୍ଡ। ବଞ୍ଚି ଥାଉ ଥାଉ ଗାଁ ଲୋକ ମୃତ୍ୟୁ ଘୋଷଣା କରିବା ସହ ପ୍ରତୀକାତ୍ମକ ଭାବେ କଲେ ଶବ ସତ୍କାର। କୋକେଇ କାନ୍ଧେଇ ମଶାଣି ଗଲେ। ଶବ ଦାହ ପରେ ପିତା ଖାଇଲେ, ଗାଁରେ ଦଶାହ ଭୋଜି ବି କଲେ। ଏତିକିରେ ମାନିଲାନି ଗ୍ରାମବାସୀଙ୍କ ମନ, ଶେଷରେ ପିଣ୍ଡ ଦାନ କରିଦେଲେ। ଅନ୍ଧବିଶ୍ବାସକୁ ନେଇ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜୟପୁର ବ୍ଲକ୍‌ ରଣ୍ଡାପାଲୀ ପଞ୍ଚାୟତର ପାତ୍ରଗୁଡ଼ାରେ।

ଶ୍ରାବଣ ଦ୍ବିତୀୟ ସୋମବାରରେ ପାତ୍ରଗୁଡ଼ା ଗ୍ରାମର ଯୁବକ ମୀନା ଜାନି ଓ ଟାଙ୍କୁଗୁଡ଼ାର ଯୁବକ ଧବଳୁ ଜାନି ଗୁପ୍ତେଶ୍ବର ପୀଠକୁ ଜଳାଭିଷେକ ପାଇଁ ଯାଇଥିଲେ। ଜଳାଭିଷେକ ସାରି ଗାଁକୁ ଫେରୁଥିବା ସମୟରେ କାଉ ମିଳନ ଦେଖିଥିଲେ। ଆଦିବାସୀ ପରମ୍ପରାରେ କାଉ ମିଳନ ଦେଖିବାକୁ ଅଶୁଭ ଭାବେ ଗଣା ଯାଉଥିବାରୁ ଏ ସମ୍ପର୍କରେ ଉଭୟ ଯୁବକ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକ ଉଭୟଙ୍କୁ ଗାଁକୁ ଆସିବାକୁ ମନା କରିଥିଲେ। ବୋଲବମ୍ ଯାତ୍ରାରେ ଯାଇ ଉଭୟଙ୍କ ଉମୁରୀ ନିକଟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ସତ ଘଟଣା ଭଳି ସବୁ ସମ୍ପର୍କୀୟ ଓ ପଡ଼ୋଶୀ ଯୁବକଙ୍କ ଘରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ଗାଁ। ପରେ ଗାଁ ଲୋକେ ଦୁଇଟି କୋକେଇ କରି ଶବ କାନ୍ଧେଇ ମଶାଣିକୁ ନେଇ ଶବ ସତ୍କାର କରିଥିଲେ। ଶବ ସଂସ୍କାର ପରେ ପିତା ଖାଇବା ସହ ଶୁଦ୍ଧିକ୍ରିୟା ହୋଇ ଭୋଜିଭାତ ବି କଲେ। ଏହି ସବୁ ରୀତି ସରିବା ପରେ ଗାଁକୁ ଫେରିଥିଲେ ଦୁଇ ଯୁବକ। ପରଜା ସମ୍ପ୍ରଦାୟ ଲୋକଙ୍କ କହିବାନୁଯାୟୀ, ଏପରି ନ କଲେ ଗାଁକୁ ବିପଦ ଆସିବ। ଗାଁରେ କେହି ମଧ୍ୟ ମରିବେ। ଏହି ବିଶ୍ୱାସ ପୁରାତନ କାଳରୁ ଗାଁରେ ରହିଛି। ଏପଟେ ବୁଦ୍ଧିଜୀବୀ କହିଛନ୍ତି, ଏହା ଅନ୍ଧ ବିଶ୍ବାସ। ଏମାନଙ୍କୁ ସଚେତନ କରିବାକୁ ପଡ଼ିବ। ସରକାର ଓ ପ୍ରଶାସନ ଏଥି ପ୍ରତି ଯତ୍ନବାନ ହେବା ଦରକାର। ଅନ୍ଧ ବିଶ୍ବାସ ଦୂର ନ ହେବା ପର୍ଯ୍ୟନ୍ତ ଏମାନେ ଆଗକୁ ବଢ଼ି ପାରିବେ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button