ଅଭିନେତ୍ରୀ ମାହିରାଙ୍କୁ ଅସଦାଚରଣ

ଲଣ୍ଡନ: ଭାରତରେ ପାକିସ୍ତାନୀ ତାରକାମାନଙ୍କ ପାଇଁ ନୋ ଏଣ୍ଟ୍ରି ବୋର୍ଡ ଲାଗିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ, କେନ୍ଦ୍ର ସରକାର ସମସ୍ତ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରିଦେଇଛନ୍ତି। ଫଳରେ ପାକିସ୍ତାନରୁ ଅନେକ ତାରକା ଅନ୍ୟ ଦେଶକୁ ଯିବା ଆସିବା କରୁଛନ୍ତି। ଏହି ସମୟରେ, ଲଣ୍ଡନରୁ ପ୍ରସିଦ୍ଧ ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଲଣ୍ଡନରେ ମାହିରା ଖାନଙ୍କ ସହ ଅସଦାଜରଣ କରାଯାଇଛି। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ମାହିରା ଖାନ ଏକ ବିରାଟ ଭିଡ଼ରେ ଫସି ରହିଛନ୍ତି। ତାଙ୍କ ଚାରିପାଖରେ ଶହ ଶହ ଲୋକ ରୁଣ୍ଢ ହୋଇଛନ୍ତି ଏବଂ ସେ କୌଣସି ପ୍ରକାରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଏହି ଭିଡ଼ରେ କିଛି ଲୋକ ମାହିରାଙ୍କ ସହ ଖରାପ ବ୍ୟବହାର କରିଥିଲେ। ଭିଡିଓରେ ତାଙ୍କ ପଛରେ ପାକିସ୍ତାନର ବରିଷ୍ଠ ଅଭିନେତା ହୁମାୟୁନ୍ ସଇଦ ମଧ୍ୟ ଅଛନ୍ତି, ଯିଏ ଚିନ୍ତିତ ଦେଖାଯାଉଛନ୍ତି। ସୁରକ୍ଷା କର୍ମୀମାନେ ମାହିରାଙ୍କୁ ଘେରି ରହିଛନ୍ତି ଏବଂ କୌଣସି ପ୍ରକାରେ ତାଙ୍କୁ ଭିଡ଼ରୁ ସୁରକ୍ଷା କରୁଛନ୍ତି।
ମାହିରା ଖାନ ବଲିଉଡରେ ମଧ୍ୟ କାମ କରିଛନ୍ତି। ସେ ଶାହରୁଖ ଖାନଙ୍କ ଫିଲ୍ମ ରଇସରେ ନଜର ଆସିଥିଲେ। ୨୦୧୭ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ତାଙ୍କର କାମକୁ ବହୁତ ପ୍ରଶଂସା କରାଯାଇଥିଲା। ଶାହରୁଖଙ୍କ ସହ ତାଙ୍କର ବଲିଉଡ ଡେବ୍ୟୁ ସଫଳ ହୋଇଥିଲା ଏବଂ ଫିଲ୍ମଟି ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରଟି ପ୍ରାୟ ୯୨ କୋଟି ଟଙ୍କା ବଜେଟରେ ନିର୍ମିତ ହୋଇଥିବା ବେଳେ ଘରୋଇ ବକ୍ସ ଅଫିସରେ ଏହା ୧୯୦.୯୫ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ୨୮୧.୪୫ କୋଟି ଟଙ୍କା ରୋଜଗାର କରିଥିଲା।




