ସମଗ୍ର ପାକିସ୍ତାନକୁ ଭାରତ ଆକ୍ରମଣ କରିପାରିବ

ନୂଆଦିଲ୍ଲୀ: ପାକିସ୍ତାନର ସମସ୍ତ ଅଞ୍ଚଳକୁ ଲକ୍ଷ୍ୟଭେଦ କରିବାପାଇଁ ଭାରତର ସାମରିକ କ୍ଷମତା ରହିଛି। ଯଦି ପାକିସ୍ତାନ ସେନା ରାୱଲପିଣ୍ଡିରୁ ଏହାର ମୁଖ୍ୟାଳୟ ସ୍ଥାନାନ୍ତର କରେ, ତେବେ ଏହାକୁ ଲୁଚାଇବା ପାଇଁ ଏକ ଗଭୀର ଗାତ ଖୋଜିବାକୁ ପଡ଼ିବ ବୋଲି ଭାରତୀୟ ସେନାର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି। ଆର୍ମି ଏୟାର ଡିଫେନ୍ସର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ସୁମେର ଇଭାନ ଡି’କୁନହା ଏକ ସାକ୍ଷାତ୍କାରରେ ଦେଶର ସାମରିକ ସାମର୍ଥ୍ୟ ଉପରେ ଆଲୋକପାତ କରିବା ଅବସରରେ କହିଛନ୍ତି ଯେ ସମଗ୍ର ପାକିସ୍ତାନ ଭାରତର ଆକ୍ରମଣଯୋଗ୍ୟ ସୀମା ମଧ୍ୟରେ ରହିଛି। ପୂରା ପାକିସ୍ତାନକୁ ଆକ୍ରମଣ କରିବା ପାଇଁ ଭାରତ ପାଖରେ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ରହିଛି। ପାକିସ୍ତାନରେ ଏପରି ଜାଗା ନାହିଁ, ଯେଉଁଠିକି ଭାରତ ଲକ୍ଷ୍ୟଭେଦ କରିପାରିବ ନାହିଁ। ଭୟରେ ପାକିସ୍ତାନ ଏହାର ସେନା ମୁଖ୍ୟାଳୟକୁ ସ୍ଥାନାନ୍ତର କରିବାକୁ ଚାହୁଛି। ଲେଫ୍ଟନାଣ୍ଟ ଜେନେରାଲ ଡି’କୁନହା କହିଛନ୍ତି ଯେ, ପାକିସ୍ତାନ ସେନା ଏହାର ଜିଏଚ୍କ୍ୟୁ (ଜେନେରାଲ ହେଡକ୍ୱାର୍ଟର)କୁ ରାୱଲପିଣ୍ଡିରୁ କେପିକେ (ଖୈବର ପଖତୁନଖ୍ୱା) କିମ୍ବା ଯେଉଁଠିକି ନେବାକୁ ଚାହୁଛି ସେଠାକୁ ନେଇପାରିବେ, କିନ୍ତୁ ସେ ସବୁ ଆମର ଲକ୍ଷ୍ୟଭେଦ ସୀମା ମଧ୍ୟରେ ଅଛି।
ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ସମୟରେ ଭାରତୀୟ ସେନା ଅନେକ ପାକିସ୍ତାନୀ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ତେବେ ପାକିସ୍ତାନୀ ସେନାର ମୁଖ୍ୟାଳୟ ଥିବା ରାଵଲପିଣ୍ଡିରେ ଏହାର ଗଭୀର ପ୍ରଭାବ ଅନୁଭୂତ ହୋଇଛି । ଏହି ଅପରେସନର ସଫଳତା ପାଇଁ ଭାରତର ଅତ୍ୟାଧୁନିକ ସ୍ୱଦେଶୀ ଜ୍ଞାନକୌଶଳ ଦାୟୀ, ଯେଉଁଥିରେ ଦୀର୍ଘ ଦୂରତା ବିଶିଷ୍ଟ ଡ୍ରୋନ୍ ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିକ ଗାଇଡେଡ୍ ଯୁଦ୍ଧାସ୍ତ୍ର ସାମିଲ ଥିଲା। ପାକିସ୍ତାନ ୪ ଦିନ ମଧ୍ୟରେ ପଶ୍ଚିମ ସୀମାରେ ପାଖାପାଖି ୮୦୦ରୁ ୧୦୦୦ ଡ୍ରୋନ୍ ନିକ୍ଷେପ କରିଥିଲା ଏବଂ ଆମର ସେନା, ନୌସେନା ଓ ବାୟୁସେନାର ସମନ୍ୱିତ ପ୍ରୟାସ ମାଧ୍ୟମରେ ସମସ୍ତ ଡ୍ରୋନକୁ ସଫଳତାର ସହ ଅଟକାଇ ନଷ୍ଟ କରାଯାଇଥିଲା। ଭାରତ ପାକିସ୍ତାନର ଏକାଧିକ ସାମରିକ ଘାଟି ଉପରେ ଆକ୍ରମଣ କରି ଇସଲାମାବାଦକୁ ଅସ୍ତ୍ରବିରତି ଆଲୋଚନା ଆରମ୍ଭ କରିବାକୁ ବାଧ୍ୟ କରିଥିଲା। ମେ ୧୦ରେ ଅସ୍ତ୍ରବିରତି ହୋଇଥିଲା।