ରାଜ୍ୟ
ବାଘ ସହ ଲଢ଼ିଲା ମାଆ ଭାଲୁ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଆବୁଝମାଡ଼ ଜଙ୍ଗଲରେ ବାଘ ସହ ଲଢ଼ିଛି ଭାଲୁ। ନିଜ ଶାବକକୁ ବଞ୍ଚାଇବା ପାଇଁ ମାଆ ଭାଲୁ ବାଘ ଉପରେ ପ୍ରତି ଆକ୍ରମଣ କରିଛି। ଫଳରେ ବାଘ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଛି। ଲଢ଼େଇ ସମୟର ଭିଡିଓକୁ ସ୍ଥାନୀୟ ଅଞ୍ଚଳବାସୀ ରେକର୍ଡିଂ କରିଥିବା ବେଳେ ଏହା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି।
ନାରାୟଣପୁର ଜିଲ୍ଲା ପାଗୁଡ଼ ଗ୍ରାମ ନିକଟରେ ରାସ୍ତାର ଉଭୟ ପାର୍ଶ୍ବରେ ଘଞ୍ଚ ଜଙ୍ଗଲ ଥିବାବେଳେ ମାଆ ଓ ଛୁଆଭାଲୁ ରାସ୍ତା ଉପରେ ଥିଲେ। ଏହି ସମୟରେ ବାଘ ଛୁଆଭାଲୁକୁ ଆକ୍ରମଣ ଉଦ୍ୟମ କରିଥିଲା। କିଛି ଦୂରରେ ଥିବା ମାଆ ଭାଲୁ ଏହା ଦେଖିବା ପରେ ଦୌଡ଼ି ଆସି ବାଘ ଉପରକୁ ଝାମ୍ପ ମାରିଥିଲା। କିଛି ସମୟର ଲଢ଼େଇ ପରେ ବାଘ ଆକ୍ରମଣକୁ ସାମନା କରିନପାରି ଜଙ୍ଗଲକୁ ଭିତରକୁ ଦୌଡ଼ି ପଳାଇଥିଲା। ତେବେ ଛୁଆକୁ ବଞ୍ଚାଇବା ପାଇଁ ମାଆ ଭାଲୁର ଲଢ଼େଇକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ମାଆର ମମତା କିଭଳି ଅନାବିଳ ହୋଇପାରେ ତାହାର ଜ୍ବଳନ୍ତ ଉଦାହରଣ ଏହି ଘଟଣାରୁ ସ୍ପଷ୍ଟ।