ଦେଶ- ବିଦେଶ

ପାକିସ୍ତାନ ‌ସେନାଙ୍କ ବୀରତ୍ବକୁ ନେଇ ବହି ଲେଖିବେ ପ୍ରଧାନମନ୍ତ୍ରୀ ସେହବାଜ୍‌ ସରିଫ

ନୂଆଦିଲ୍ଳୀ: ପୁଣି ପାକିସ୍ତାନର ମୁହଁଫୁଟାଣି। ଏ ଯାଏଁ ବି ଭାଙ୍ଗୁନି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମୁହଁଟାଣ । ବୁଧବାର ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ନିଜ ଦେଶର ସୈନିକଙ୍କୁ ଭେଟିବା ସହିତ ପୁଣି ମିଛିମିଛିକା ପାରିବାପଣିଆ ଦେଖାଇଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ସିୟାଲକୋଟରେ ଥିବା ପାକିସ୍ତାନ ଆର୍ମିର ଛାଉଣିରେ ପହଞ୍ଚିଥିଲେ । ଯେଉଁଠି ଏକ ଟ୍ୟାଙ୍କ୍ ଉପରେ ଠିଆ ହେଇ ସେ ସୈନିକମାନଙ୍କୁ ଭାଷଣ ଶୁଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଢଙ୍ଗରେ ପାକିସ୍ତାନୀ ସୈନ୍ୟଙ୍କୁ ସରିଫ ପ୍ରଶଂସାରେ ପୋତି ଦେଇଥିଲେ ।

ଶେହବାଜ ସରିଫଙ୍କ ସହିତ ଏହି ସମୟରେ ପାକିସ୍ତାନ ଆର୍ମି ଚିଫ୍ ଅସୀମ ମୁନିର, ପାକିସ୍ତାନର ବାୟୁସେନା ମୁଖ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ସହିତ ଅନ୍ୟ ସେନା ଅଧିକାରୀ ଉପସ୍ଥିତ ଥିଲେ । ଏହି ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶତ୍ରୁ ଆମଠୁ ବହୁତ ଗୁଣରେ ବଡ଼ ଥିଲା, ହେଲେ ଆପଣମାନେ ତାଙ୍କୁ ନିରୁତ୍ତର କରିଦେଇଥିଲେ । ତେବେ ନିଜର ଏହି ଭାଷଣରେ ସରିଫ ଭାରତ କରିଥିଲା ଏୟାରଷ୍ଟ୍ରାଇକର କ୍ଷତି ବିଷୟରେ ପଦୁଟିଏ କଥା କହିନଥିଲେ ବି, ତାଙ୍କର ସମସ୍ତ କଥା ଭାରତ ଆଡ଼କୁ ହିଁ ଇସାରା କରୁଥିଲା ।

ସେ ଆହୁରି ମଧ୍ୟ କହିଥିଲେ ଯେ, ପାକିସ୍ତାନୀ ସେନାର ଏହି ବୀରତ୍ୱର କଥାକୁ ନେଇ ଆଗାମୀ ଦିନରେ ଅନେକ ବହି ଲେଖାଯିବ । ଏହାସହ ଆଗାମୀ ଦିନରେ ଏହାକୁ ନେଇ ରିସର୍ଚ୍ଚ ମଧ୍ୟ କରାଯିବ । ଏମିତି କି, ଯଦି ତାଙ୍କୁ ସୁଯୋଗ ମିଳିବ, ତେବେ ପାକିସ୍ତାନୀ ସେନାର ଏହି ବୀରତ୍ୱ ନେଇ ସେ ନିଜେ ବହି ଲେଖିବେ ବୋଲି କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।

ଶେହବାଜ ସରିଫ ପାକ୍ ଆର୍ମିକୁ ଅଭିଭାଷଣ ଦେଇ କହିଛନ୍ତି ଯେ, “ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ, ମୁଁ ଆପଣଙ୍କ ନେତୃତ୍ୱ ଉପରେ ଗର୍ବିତ । ଯେତେବେଳେ ଶତ୍ରୁ ଆଗକୁ ବଢ଼ିବା ବିଷୟରେ କଥା ହେଉଥିଲା, ଆମର ସେନାମୁଖ୍ୟ ମୋତେ ପଚାରିଥିଲେ ଯେ ମୁଁ ଏହାର ଜବାବ ଏହିପରି ଦେବା ଉଚିତ କି ? ଏହି ସାହସର କାହାଣୀ ନେଇ, ମୁଁ ଅବସର ପରେ ଯଦି କେବେ ସୁଯୋଗ ପାଏ ତେବେ ମୋ ପୁସ୍ତକରେ ଲେଖିବି । କିନ୍ତୁ ଆଜି ଆପଣ ପାକିସ୍ତାନକୁ ଗର୍ବିତ କରିଛନ୍ତି ।” ଏହାସହ ପାକ୍ ପ୍ରଧାନମନ୍ତ୍ରୀ ଭାରତକୁ ଧମକ ଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଭାରତ ପାକିସ୍ତାନର ପାଣି ଯୋଗାଣ ବନ୍ଦ କରିବାକୁ ଚିନ୍ତା କରେ, ତେବେ ଏହା ଏକ ଲାଲ ରେଖା ହେବ । ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହେବ ନାହିଁ । ଆମର ସୈନିକମାନେ ସେମାନଙ୍କର ସାହସ ଏବଂ ବଳିଦାନ ମାଧ୍ୟମରେ ଜଳ ଉପରେ ଆମର ଅଧିକାର ପାଇବେ ବୋଲି କହିଛନ୍ତି ଶେହବାଜ ସରିଫ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button