କରାଚୀ ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲା ୩୬ ଜାହାଜ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତୀୟ ନୌସେନା କରାଚୀ ନିକଟରେ ଆଇଏନ୍ଏସ୍ ବିକ୍ରାନ୍ତ ସମେତ ୩୬ଟି ଆଗଧାଡ଼ିର ନୌସେନା ଜାହାଜ ଓ ଅନେକ ବୁଡ଼ାଜାହାଜ ମୁତୟନ କରିଥିଲା। ୧୯୭୧ ମସିହାରେ ସହରକୁ ଟାର୍ଗେଟ କରି ହୋଇଥିବା ଅପରେସନ ସମୟରେ ମୁତୟନ ହୋଇଥିବା ୬ଟି ଯୁଦ୍ଧ ଜାହାଜଠାରୁ ଏହା ବହୁତ ବଡ଼ ଥିଲା। ନିକଟରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇବା ପରେ ଭାରତ ପାକିସ୍ତାନ ଉପରେ ତ୍ରିମୁଖୀ ଚାପ ରଣନୀତି ଆରମ୍ଭ କରିଥିଲା। ସମ୍ଭାବ୍ୟ ଆକ୍ରମଣ ଆଶଙ୍କାରେ ପାକିସ୍ତାନ ଆତଙ୍କରେ ଥରିଉଠିଥିଲା।
ଆରବ ସାଗରରେ ୮ରୁ ୧୦ଟି ଯୁଦ୍ଧ ଜାହାଜ ସହ କ୍ୟାରିୟର ବ୍ୟାଟେଲ ଗ୍ରୁପ୍ ଆଇଏନ୍ଏସ୍ ବିକ୍ରାନ୍ତ ମୁତୟନ ହୋଇଥିବା ସୂଚନା ମିଳିଛି। ନିୟମିତ ଶାନ୍ତିକାଳୀନ ଅଭ୍ୟାସ ବାହାରେ ଭାରତୀୟ ନୌସେନାର ଏହା ସବୁଠାରୁ ବଡ଼ ରିୟଲ ଟାଇମ୍ ଅପରେସନ୍ ଗତିବିଧି ଥିଲା। ଏଥିରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର, ମଧ୍ୟମ ଦୂରତା ବିଶିଷ୍ଟ ସର୍ଫେସ୍-ଟୁ-ଏୟାର୍ ମିସାଇଲ୍ (ଏମ୍ଆର୍ଏସ୍ଏଏମ୍) ଓ ବରୁଣାସ୍ତ୍ର ହେଭିୱେଟ୍ ଟର୍ପିଡୋ ସହିତ ସଜ୍ଜିତ ୭ଟି ଡେଷ୍ଟ୍ରୋୟର ରହିଛି, ଯାହା ଭୂପୃଷ୍ଠ, ଆକାଶମାର୍ଗ ଓ ପାଣି ଭିତରେ ଆକ୍ରମଣ କରିବାରେ ସକ୍ଷମ। ନୂତନ ଭାବେ ସାମିଲ ହୋଇଥିବା ଆଇଏନ୍ଏସ୍ ତୁଶୀଲ ସମେତ ୭ଟି ଷ୍ଟେଲ୍ଥ ଗାଇଡେଡ୍ ମିସାଇଲ ଫ୍ରିଗେଟ୍ ମଧ୍ୟ ମହଜୁଦ ଥିଲା। ଆନୁମାନିକ ୬ଟି ବୁଡ଼ାଜାହାଜ ପାଣି ଭିତରେ ନିବିଡ଼ ସମନ୍ୱୟ ରକ୍ଷା କରି ଆକ୍ରମଣ ପାଇଁ ପ୍ରସ୍ତୁତ ଥିଲା।
ଏହି ଅପରେସନରେ ଫାଷ୍ଟ ଆଟାକ୍ କ୍ରାଫ୍ଟ ଓ ମିସାଇଲ ବୋଟ୍ ମଧ୍ୟ ଅଂଶଗ୍ରହଣ କରି ମୋଟ ଜାହାଜ ସଂଖ୍ୟା ପ୍ରାୟ ୩୬ରେ ପହଞ୍ଚିଥିଲା- ଯାହା ବର୍ତ୍ତମାନ ୩୦ରୁ କମ୍ ଯୁଦ୍ଧ ଜାହାଜ ରଖିଥିବା ପାକିସ୍ତାନ ନୌସେନାକୁ ପଛରେ ପକାଇଦେଇଛି। ଭାରତୀୟ ନୌସେନାର ପ୍ରବଳ ଉପସ୍ଥିତି ଯୋଗୁଁ ପାକିସ୍ତାନର ନୌସେନା କରାଚୀ ବନ୍ଦର ଭିତରେ ସୀମିତ ରହିଥିଲା ଏବଂ କୌଣସି ଆଗୁଆ ଜବାବ ଦେବାକୁ ସାହସ କରିନଥିଲା। ଏପରିକି କରାଚୀ ଆଖପାଖରେ ଅନ୍ତର୍ଜାତୀୟ ବାଣିଜ୍ୟିକ ଜାହାଜଗୁଡ଼ିକୁ ରାସ୍ତା ବଦଳାଇବାକୁ ପଡ଼ିଥିଲା। ତେବେ ମେ ୧୦ରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଅସ୍ତ୍ରବିରତି ପାଇଁ ବୁଝାମଣା ହେବା ପରେ କରାଚୀ ବନ୍ଦର ଆକ୍ରମଣରୁ ବର୍ତ୍ତିଯାଇଥିଲା।