ମନୋରଞ୍ଜନ

ମହାବାତ୍ୟାର କାହାଣୀ କହିବ ‘ଲ୍ୟାଣ୍ଡଫଲ୍’

ଭୁବନେଶ୍ବର: ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ‘ଦମନ’ର ନିର୍ଦ୍ଦେଶକ ଯୋଡ଼ି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ସୁପରଷ୍ଟାର ସବ୍ୟସାଚୀଙ୍କ ଅଭିନୀତ ଏହି ସିନେମାର ଶୀର୍ଷକ ଆଜି ଘୋଷଣା ହୋଇଛି। ପିକ୍ସେଲ ମୁଭିଜ୍‌ ନିବେଦିତ ତଥା ପ୍ରଭାତ କୁମାର ପ୍ରଧାନଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ସିନେମାର ଶୀର୍ଷକ ରହିଛି ‘ଲ୍ୟାଣ୍ଡଫଲ୍’। ଏହି ଉତ୍ସବରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ। ଏଥିରେ କୁଜଙ୍ଗର ତତ୍କାଳୀନ ତହସିଲଦାର ସୁରଜିତ ଦାସ, ଅତିରିକ୍ତ ତହସିଲଦାର ନୃସିଂହ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇ ଫିଲ୍ମର ଟାଇଟଲ, ଲୋଗୋ ଓ ପୋଷ୍ଟର ଉନ୍ମୋଚନ କରିଥିଲେ। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଡିଓପି ପ୍ରତାପ ରାଉତ, କଳାକାର, ଟେକ୍ନିସିଆନଙ୍କ ସହ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ।

ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ଅଭିନେତ୍ରୀ ଦିବ୍ୟାସ୍ନାତା। ପ୍ରଯୋଜନା ସଂସ୍ଥା କହିବାନୁସାରେ ବିଭିନ୍ନ ଦୃଷ୍ଟିକୋଣରୁ ‘ଲ୍ୟାଣ୍ଡଫଲ୍’ ଓଡ଼ିଆ ଚଳଚ୍ଚିତ୍ରରେ ଏକ ନୂଆ ଧାରା ସୃଷ୍ଟି କରିବ। ଆନିମେଶନ ଦିଗରେ ଓଡ଼ିଆ ସିନେମାକୁ ଏହା ନୂଆ ପରିଚୟ ଦେବ। ଏହା ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ନିର୍ମିତ ହେବ। ମହାବାତ୍ୟାକୁ ନେଇ ପ୍ରତ୍ୟେକ ଓଡ଼ିଆଙ୍କର କିଛି ନା କିଛି ତିକ୍ତ ଓ ହୃଦୟଥରା ଅନୁଭୂତି ରହିଛି। ପରଦା ଉପରେ ଝଡ଼ର ସେଇ କରାଳ ରୂପ ଦେଖିବ ଓଡ଼ିଶା। ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ଏହା ସବୁଠୁ ବ୍ୟୟବହୁଳ ସିନେମା ହେବ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button