କିଏ ସେହି ସୋଫିଆ କୁରେଶୀ ?

ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିଆ କୁରେଶୀ ଭାରତୀୟ ସେନାରେ ଏମିତି ଏକ ନାଁ, ଯିଏ ଆଗ୍ରହ, କଠିନ ପରିଶ୍ରମ ଏବଂ ନେତୃତ୍ୱର ଏକ ଉଦାହରଣ ପାଲଟିଛନ୍ତି। ସେ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ତାଙ୍କୁ ଫୋର୍ସ ୧୮ ଅନ୍ତର୍ଗତ ୧୮ଟି ଦେଶର ବହୁରାଷ୍ଟ୍ରୀୟ ସୈନ୍ୟ ଅଭ୍ୟାସରେ ଭାରତ ପକ୍ଷରୁ କମାଣ୍ଡ କରିବାର ସୁଯୋଗ ମିଳିଥିଲା। ସେହି ସମୟରେ, ସେ ଏକମାତ୍ର ମହିଳା ଥିଲେ ଯିଏ କୌଣସି ଦେଶର ସୈନ୍ୟ ୟୁନିଟ୍ର କମାଣ୍ଡ କରୁଥିଲେ। ସେ ୪୦ ଜଣିଆ ଭାରତୀୟ ସୈନିକ ଦଳର ନେତୃତ୍ୱ ନେଇଥିଲେ।
ଗୁଜରାଟର ସୋଫିଆ ବାୟୋକେମିଷ୍ଟ୍ରିରେ ସ୍ନାତକୋତ୍ତର କରିଛନ୍ତି, ଯାହା ତାଙ୍କ ପାଠପଢ଼ା ଏବଂ ସେନା ତାଲିମ ମଧ୍ୟରେ ଏକ ଉତ୍ତମ ସମନ୍ବୟ ଥିବା ଦର୍ଶାଏ। ସେ ସିଗନାଲ କୋରସରୁ ଆସିଛନ୍ତି, ଯାହା ସେନାର ଯୋଗାଯୋଗ ଏବଂ ସୂଚନା ପ୍ରଣାଳୀ ପାଇଁ ଦାୟୀ।
୨୦୦୬ରେ, ସେ ଜାତିସଂଘ ଶାନ୍ତିରକ୍ଷା ମିଶନ ଅଧୀନରେ କଙ୍ଗୋରେ ନିଯୁକ୍ତ ହୋଇଥିଲେ ଏବଂ ୬ ବର୍ଷରୁ ଅଧିକ ସମୟ ଧରି ଶାନ୍ତି ମିଶନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି। ତାଙ୍କୁ ଶାନ୍ତିରକ୍ଷା ତାଲିମ ଗୋଷ୍ଠୀରୁ ମନୋନୀତ କରାଯାଇଥିଲା, ଯାହା ଅନ୍ତର୍ଜାତୀୟ ମିଶନ ପାଇଁ ସର୍ବୋତ୍ତମ ତାଲିମ ପ୍ରଦାନ କରେ। ତାଙ୍କର ସେନା ସହିତ ପୁରୁଣା ସମ୍ପର୍କ ଅଛି। ତାଙ୍କ ଜେଜେବାପା ସେନାରେ ଥିଲେ ଏବଂ ତାଙ୍କ ସ୍ବାମୀ ମେକାନାଇଜ ଇନ୍ଫେକ୍ଟ୍ରିର ଜଣେ ଅଧିକାରୀ।
ବୁଧବାର ସକାଳେ ‘ଅପରେଶନ ସିନ୍ଦୂର’ର ପ୍ରେସ୍ମିଟ୍ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇଥିଲେ ସୋଫିଆ। ସେ କହିଥିଲେ, ୨୨ ଏପ୍ରିଲରେ ପହଲଗାମରେ ଯେଉଁ ଆକ୍ରମଣ ହୋଇଥିଲା ଏଥିରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଭାରତ ଆଜି ଭୋର୍ରୁ ଅପରେଶନ ସିନ୍ଦୂର ଜାରି କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଅତ୍ୟନ୍ତ ବର୍ବର ଥିଲା। ପରିବାର ସାମ୍ନାରେ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଆଜିର ଏହି ଆକ୍ରମଣ ଉଦ୍ଦେଶ୍ୟ ହେଲା ଆତଙ୍କବାଦ ବିରୋଧରେ ଭାରତର ଅଧିକାର। ଭାରତ ସରକାର ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଆଜିର ଏହି ଅପରେଶନ ସିନ୍ଦୂର ଜାରି ରଖିଛନ୍ତି ବୋଲି ସୋଫିଆ ସାରା ବିଶ୍ୱବାସୀଙ୍କୁ ସୂଚନା ଦେଇଥିଲେ।