ମନୋରଞ୍ଜନ

ବଲିଉଡକୁ କାହିଁକି ଚୋର କହିଲେ ନୱାଜୁଦ୍ଦିନ?

ମୁମ୍ବାଇ: ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ବଲିଉଡ ଇଣ୍ଡଷ୍ଟ୍ରିର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ନିଜ ଅଭିନୟ ବଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ‘ଗ୍ୟାଙ୍ଗସ୍ ଅଫ୍ ୱାସେପୁର’, ‘କିକ୍’, ‘ବଜରଙ୍ଗୀ ଭାଇଜାନ’ ଭଳି ଅନେକ ବଡ଼ ଫିଲ୍ମରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି। ନିଜ ଅଭିନୟ ସହ ନୱାଜଙ୍କୁ ଅନେକ ସମୟରେ ନିଜର ମତ ଖୋଲାଖୋଲି ଭାବରେ ରଖୁଥିବାର ଦେଖାଯାଏ। ଏବେ ତାଙ୍କର ଆଉ ଏକ ବୟାନ ଚର୍ଚ୍ଚାରେ ରହିଛି।

ଏବେ ନୱାଜୁଦ୍ଦିନ ତାଙ୍କର ନୂଆ ଫିଲ୍ମ ‘କାଷ୍ଟାଓ’ର ପ୍ରଚାର କରୁଛନ୍ତି। ଏହି ସମୟରେ, ତାଙ୍କୁ ଅନେକ ସାକ୍ଷାତକାରରେ ଦେଖିବାକୁ ମିଳିଛି। ଫିଲ୍ମର ପ୍ରଚାର ବେଳେ ଏକ ସାକ୍ଷାତକାରରେ ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ଚୋର ବୋଲି କହିଛନ୍ତି ନୱାଜ୍, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏକ ସାକ୍ଷାତକାର ସମୟରେ, ଅଭିନେତା ବାରମ୍ବାର ସମାନ ବିଷୟକୁ ନେଇ ଫିଲ୍ମ ତିଆରି କରିବା ନେଇ ବଲିଉଡ୍ ଇଣ୍ଡଷ୍ଟ୍ରିକୁ ସମାଲୋଚନା କରିଛନ୍ତି।

ତାଙ୍କ କହିବା ମୁତାବକ,”ଆମ ଇଣ୍ଡଷ୍ଟ୍ରିରେ ପାଞ୍ଚ ବର୍ଷ ଧରି ସମାନ ବିଷୟ ବାରମ୍ବାର ପୁନରାବୃତ୍ତି ହୁଏ। ଯେତେବେଳେ ଦର୍ଶକମାନେ ଏଥିରେ ବିରକ୍ତ ହୋଇଯାଆନ୍ତି, ସେତେବେଳେ ନିର୍ମାତା ସେହି ଜିନିଷ ପଛରେ ପଡ଼ିବା ଛାଡି ଦିଅନ୍ତି। ପ୍ରକୃତରେ, ସମସ୍ତଙ୍କ ଭିତରେ ଏକ ଭୟ ଅଛି। ସେମାନେ ଭାବନ୍ତି ଯେ ଯଦି ଗୋଟାଏ ପ୍ରକାରର ଫିଲ୍ମ ଦର୍ଶକ ପସନ୍ଦ କରୁଛନ୍ତି, ସେହି ପ୍ରକାରର ଫିଲ୍ମ ହିଁ ତିଆରି ହେବା ଉଚିତ୍। ଆହୁରି ଖରାପ କଥା ହେଉଛି ଯେ, ଗୋଟିଏ ଫିଲ୍ମର ୨, ୩, ୪ଟି ସିକ୍ୱେଲ୍ ହେବା ଆରମ୍ଭ ହୋଇଗଲାଣି। ଆମ ଶିଳ୍ପ ଆରମ୍ଭରୁ ଚୋର ହୋଇ ରହିଆସିଛି। ଆମେ ଗୀତ ଏବଂ କାହାଣୀ ଚୋରି କରିଛୁ। ଏବେ ଯେଉଁମାନେ ଚୋର, ସେମାନେ କିପରି ସୃଜନଶୀଳ ହୋଇପାରିବେ?” ତାଙ୍କର ଏଭଳି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button