NCC କ୍ୟାମ୍ପରେ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରିବା ଅଭିଯୋଗ, ୭ ଶିକ୍ଷକଙ୍କ ବିରୁଦ୍ଧରେ ମାମଲା

ଛତିଶଗଡ଼: ବିଲାସପୁର ଜିଲାରେ ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କେତେକ ଛାତ୍ରଛାତ୍ରୀଙ୍କୁ NCC ଶିବିର ସମୟରେ ନମାଜ ପଢିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗରେ ଶନିବାର ୭ ଜଣ ଶିକ୍ଷକ ସମେତ ୮ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି।
କୋଟା ଥାନା ଅଧୀନ ଶିବତରାଇ ଗାଁରେ ମାର୍ଚ୍ଚ ୨୬ରୁ ଏପ୍ରିଲ ୧ ମଧ୍ୟରେ ଆୟୋଜିତ ଏହି ଶିବିରରେ ୧୫୯ ଜଣ ଛାତ୍ରଛାତ୍ରୀଙ୍କୁ ନମାଜ ପଢିବାକୁ ବାଧ୍ୟ କରାଯାଇଥିଲା, ଯଦିଓ ସେମାନଙ୍କ ମଧ୍ୟରୁ କେବଳ ୪ ଜଣ ମୁସଲମାନ ଥିଲେ ବୋଲି ଅଧିକାରୀ କହିଛନ୍ତି।
ଛାତ୍ରଛାତ୍ରୀମାନେ ଫେରିବା ପରେ ବିରୋଧ ପ୍ରଦର୍ଶନ କରିଥିଲେ, ଏହାପରେ ଦକ୍ଷିଣପନ୍ଥୀ ସଂଗଠନମାନେ ମଧ୍ୟ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନ କରିଥିଲେ। ଏହାକୁ ନେଇ ଏକ ତଦନ୍ତ ଆରମ୍ଭ ହୋଇଥିଲା।
ଘଟଣାଟି ମାର୍ଚ୍ଚ ୩୧ ତାରିଖରେ ଘଟିଥିଲା। ବିଲାସପୁରର ବରିଷ୍ଠ ପୁଲିସ ଅଧୀକ୍ଷକ ରାଜନେଶ ସିଂହ ଏହି ମାମଲାର ତଦନ୍ତ ପାଇଁ ସିଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୁଲିସ (କୋଟୱାଲି) ଅକ୍ଷୟ ସାବାଦ୍ରାଙ୍କ ନେତୃତ୍ୱରେ ଏକ ଚାରି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ତଦନ୍ତ ରିପୋର୍ଟ SSPଙ୍କୁ ଦାଖଲ ହେବା ପରେ ଶନିବାର ଦିନ ମାମଲା ରୁଜୁ ହୋଇଛି।
ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷକ ଦିଲୀପ ଝା, ମଧୁଲିକା ସିଂହ, ଜ୍ୟୋତି ବର୍ମା, ନୀରଜ କୁମାରୀ, ପ୍ରଶାନ୍ତ ବୈଷ୍ଣବ, ସୂର୍ୟଭାନ ସିଂହ ଏବଂ ବସନ୍ତ କୁମାର ଏବଂ ଟିମ କୋର ଲିଡର-ତଥା-ଛାତ୍ର ଆୟୁଷ୍ମାନ ଚୌଧୁରୀଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୯୬ (b), ୧୯୭ (୧) (b) (c), ୨୯୯, ୩୦୨, ୧୯୦ ଏବଂ ଛତିଶଗଡ଼ ଧାର୍ମିକ ସ୍ୱାଧୀନତା ଆଇନର ଧାରା ୪ ଅନୁଯାୟୀ ମାମଲା ରୁଜୁ ହୋଇଛି।