ସ୍କୁଲ୍ ଛୁଟି ଘୋଷଣା କଲେ ଜିଲାପାଳ

ଭୁବନେଶ୍ୱର: ଓଡ଼ିଶାରେ ଅସହ୍ୟ ଗରମ ଓ ତାତି ଜନିତ ପରିସ୍ଥିତି ମଧ୍ୟରେ ଝାରସୁଗୁଡ଼ା ଜିଲାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଛୁଇଁଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲାପାଳ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍ ପାଇଁ ଛୁଟି ଘୋଷଣା କରିଛନ୍ତି।
ମଙ୍ଗଳବାର ଜିଲାରେ ତାପମାତ୍ରା ୪୬.୨ ଛୁଇଁଥିଲା। ଏଥିସହିତ ଚଳିତ ବର୍ଷ ପ୍ରଥମ କରି ରାଜ୍ୟରେ ତାତି ୪୬ ଟପିଛି। ସେହିଭଳି ଏପ୍ରିଲ ମାସର ଝାରସୁଗୁଡ଼ା ତାତି ୧୦ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି। ପୂର୍ବରୁ ୨୦୧୦ ଏପ୍ରିଲ ୨୦ରେ ଝାରସୁଗୁଡ଼ା ତାତି ୪୬.୧ ରହିଥିଲା।
ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ, ଏପ୍ରିଲ ୨୩ ରୁ ୨୫ ପର୍ଯ୍ୟନ୍ତ ଛୁଟି ଜିଲାର ସମସ୍ତ ସ୍କୁଲ୍ ବନ୍ଦ ରହିବ। ଏହି ନିଷ୍ପତ୍ତି ଗ୍ରୀଷ୍ମ ପ୍ରକୋପ ଏବଂ ହିଟ୍ଷ୍ଟ୍ରୋକ୍ ଆଶଙ୍କାକୁ ଦୃଷ୍ଟିରେ ରଖି ନିଆଯାଇଛି। ଜିଲାପାଳ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେପରି ପାଣି ଅଧିକ ପିଇବା, ଗରମରୁ ସୁରକ୍ଷା ଓ ମଧ୍ୟାହ୍ନ ସମୟରେ ବାହାରକୁ ନ ବାହାରିବା।
ଏହା ସହିତ, ଜିଲା ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗ ସହିତ ମିଳିତ ଭାବେ ଜନସାଧାରଣଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଶୀତଳ ପାନୀୟ ଜଳ ବଣ୍ଟନ ଓ ସାମୟିକ ଶୀତଳ ଆଶ୍ରୟ କେନ୍ଦ୍ର ଖୋଲାଯାଇଛି। ଜିଲାପାଳ କହିଛନ୍ତି ଯେ, ପରିସ୍ଥିତି ଉପରେ ନଜର ରଖାଯାଉଛି ଏବଂ ଆବଶ୍ୟକ ହେଲେ ଅଧିକ ପଦକ୍ଷେପ ନିଆଯିବ। ଏହି ଘୋଷଣାକୁ ଅଭିଭାବକ ଓ ଶିକ୍ଷକ ମହଲରେ ସ୍ୱାଗତ କରାଯାଇଛି।