ପ୍ରଧାନମନ୍ତ୍ରୀ ଭାବେ ଫେରିବେ ହସିନା!

ନୂଆଦିଲ୍ଲୀ: ବାଂଲାଦେଶରେ ପଟ ପରିବର୍ତ୍ତନ ପରେ ବି ସୁଧୁରିନି ସ୍ଥିତି । ଏବେ ବି ବାଂଲାଦେଶରେ ବିଶୃଙ୍ଖଳା ଜାରି ରହିଛି। ଏହି ସମୟରେ, ଦେଶ ତ୍ୟାଗ କରିଥିବା ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପୁଣି ବାଂଲାଦେଶ ଫେରିବା ନେଇ ବଡ ସଙ୍କେତ ଦେଇଛନ୍ତି । ସିଧା ସିଧା ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ଚେତାବନୀ ଦେଇଛନ୍ତି । ହସିନା ଦେଶକୁ ଫେରିଯିବା ନେଇ ତାଙ୍କ ସମର୍ଥକଙ୍କ ଜରିଆାରେ ଏକ ବାର୍ତ୍ତା ଜାରି କରିଛନ୍ତି । ଏନେଇ ସୋସିଆଲ ମିଡିଆରେ ଦଳର ନେତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ମତ ରଖି ଆଓ୍ବାମି ଲିଗ୍ ଅଧ୍ୟକ୍ଷା ହସିନା ପୁଣି ଥରେ ବାଂଲାଦେଶ ଫେରିବା ନେଇ କହିଥିବା ବେଳେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ୟୁନୁସ ଏପରି ଜଣେ ବ୍ୟକ୍ତି ଯିଏ ସାଧାରଣ ଲୋକଙ୍କୁ କେବେବି ପ୍ରକୃତରେ ଭଲ ପାଇ ନଥିଲେ ।। ସେବେ ଆମେ ତାଙ୍କ ଚାଲ୍ ବୁଝି ପାରିଲୁ ନାହିଁ । ସେ କେବଳ ନିଜ ପାଇଁ ଭଲ କରିଥିଲେ । ଏବେ ତାଙ୍କର କ୍ଷମତାର ଲୋଭ ପାଇଁ ସେ ବାଂଲାଦେଶକୁ କ୍ଷତି ପହଞ୍ଚାଉଛନ୍ତି ବୋଲି କହିଛନ୍ତି ହସିନା ।
ଏଥିସହିତ ହସିନା ବାଂଲାଦେଶ ଏବେ ଆତଙ୍କବାଦର ଦେଶ ପାଲଟିଥିବା ବୋଲି କହିଛନ୍ତି । ବାଂଲାଦେଶ, ଯାହାକୁ ବିକାଶର ମଡେଲ ଭାବରେ ଦେଖାଯାଉଥିଲା, ଏବେ ଏକ ଆତଙ୍କବାଦୀ ଦେଶ ପାଲଟିଛି । ଯେପରି ଆମର ନେତା ଏବଂ କର୍ମୀମାନଙ୍କୁ ହତ୍ୟା କରାଯାଉଛି ତାହା ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଆୱାମୀ ଲିଗ୍ ଲୋକ, ପୋଲିସ, ଓକିଲ, ସାମ୍ବାଦିକ ଏବଂ କଳାକାର ସମସ୍ତଙ୍କୁ ଟାର୍ଗେଟ କରାଯାଉଛି । ଏଥିସହିତ କିପରି ତାଙ୍କ ପରିବାରର ଯନ୍ତ୍ରଣାଦାୟକ ହତ୍ୟା ହୋଇଥିଲା ତାକୁ ମଧ୍ୟ ମନେପକାଇଛନ୍ତି ହସିନା ।