ବିଶେଷ

ରହସ୍ୟମୟୀ ପକ୍ଷୀ: ଯିଏ ଲଗାତର ୧୦ ମାସ ଉଡ଼ିପାରେ

ଲଣ୍ଡନ: ପୃଥିବୀରେ ଏପରି ଅନେକ ପ୍ରାଣୀ ରହିଛନ୍ତି, ଯାହାଙ୍କ ବିଭିନ୍ନ ବିଶେଷତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ବୈଜ୍ଞାନିକଙ୍କ ଅନୁଯାୟୀ, କମନ ସ୍ୱିଫ୍ଟ ନାମକ ରହସ୍ୟମୟ ପକ୍ଷୀ ଆକାଶରେ ଲଗାତର ୧୦ ମାସ ପର୍ଯ୍ୟନ୍ତ ଉଡ଼ିପାରିଥାଏ। ସେହିପରି ଏହି ପକ୍ଷୀ ଆକାଶରେ ଉଡ଼ୁଥିବା ସମୟରେ ଖାଇ ପାରୁଥିବା ଏବଂ ଶୋଇ ପାରୁଥିବା ନେଇ ମଧ୍ୟ ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି।

ସାଧାରଣତଃ ଏହି ପ୍ରଜାତିର ପକ୍ଷୀଙ୍କୁ ୟୁରୋପ ମହାଦେଶରେ ଦେଖିବାକୁ ମିଳିଥାଏ। ଏହି ମଧ୍ୟମ ଆକାରର ପକ୍ଷୀ ବର୍ଷର ଅଧିକାଂଶ ସମୟରେ କ୍ରମାଗତ ଭାବେ ଉଡ଼ୁଥିବା ବୈଜ୍ଞାନିକମାନେ କହିଛନ୍ତି। ବୈଜ୍ଞାନିକଙ୍କ ଅନୁଯାୟୀ, ଯେତେବେଳେ ଏହି ପକ୍ଷୀମାନେ ଲଗାତର ଉଡ଼ିବା ସହ ଅତ୍ୟଧିକ ଉଚ୍ଚତାରେ ପହଞ୍ଚିି ଯାଇଥାନ୍ତି, ସେଠାରୁ ଧୀରେ ଧୀରେ ତଳକୁ ଆସିବା ସମୟରେ ସେମାନେ ହାଲୁକା ଭାବେ ଶୋଇ ପାରିଥାନ୍ତି।

ସେହିପରି ଦ୍ରୁତ ଗତିରେ ଉଡ଼ୁଥିବା ସମୟରେ କମନ ସ୍ୱିଫ୍ଟ ପକ୍ଷୀ ଆକାଶରେ ଥିବା ଛୋଟ କୀଟପତଙ୍ଗକୁ ଧରି ଖାଇଥାନ୍ତି ଏବଂ ନିଜ ଭୋକ ମେଣ୍ଟାଇଥାନ୍ତି। ଅନ୍ୟପକ୍ଷରେ, ଏହି ପକ୍ଷୀମାନେ ଉଡ଼ୁଥିବା ସମୟରେ ନିଜ ସାଥୀ ପକ୍ଷୀଙ୍କ ସହ ସମ୍ପର୍କ ମଧ୍ୟ ସ୍ଥାପନ କରିପାରନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି। ଯଦିଓ ୧୦ ମାସ ପର୍ଯ୍ୟନ୍ତ ଏହି ପକ୍ଷୀ ବିନା ଭୂମିକୁ ସ୍ପର୍ଶ କରି ଉଡ଼ିପାରିଥାନ୍ତି, ତେବେ କେବେ କେବେ ଖରାପ ପାଣିପାଗ ଯୋଗୁ ଏହା ଭୂମିକୁ ଚାଲି ଆସିଥାନ୍ତି। ପ୍ରାଣୀ ବିଜ୍ଞାନୀଙ୍କ ଅନୁଯାୟୀ, ଏହି ପକ୍ଷୀ ଯେତେବେଳ କୌଣସି ଗଛର ଶାଖା କିମ୍ବା ଭୂମିରେ ଅବତରଣ କରିଥାନ୍ତି ସେଠାରେ ମାତ୍ର ୧ରୁ ୨ ଘଣ୍ଟା ରହିଥାନ୍ତି। ଏହାପରେ ଏହି ପକ୍ଷୀ ପୁନର୍ବାର ନିଜ ଉଡ଼ାଣ ଆରମ୍ଭ କରିଥାନ୍ତି।

କମନ ସ୍ୱିଫ୍ଟ ପକ୍ଷୀର ଆକାର ଟର୍ପିଡୋ ମିଶାଇଲ ସଦୃଶ ରହିଥାଏ। ଏହାର ଡେଣା ତୀକ୍ଷ୍ଣ ଏବଂ ଲମ୍ବା ହୋଇଥିବା ବେଳେ ଏହାର ଗୋଡ଼ ମଜଭୁତ ଥାଏ। ଶୀତ ଋତୁରେ ପକ୍ଷୀପ୍ରେମୀମାନେ କମନ ସ୍ୱିଫ୍ଟର ଉଡ଼ିବା କୌଶଳ ଦ୍ୱାରା ଆକର୍ଷିତ ହୋଇଥାନ୍ତି। କ୍ରମାଗତ ଭାବେ ସବୁଠାରୁ ଅଧିକ ସମୟ ଧରି ଉଡ଼ୁଥିବା ପକ୍ଷୀ ଭାବେ କମନ ସ୍ୱିଫ୍ଟ ପକ୍ଷୀର ନାମ ଗିନିଜ୍ ବୁକ୍ ଅଫ୍ ୱାଲ?ର୍ଡ ରେକର୍ଡରେ ସ୍ଥାନିତ ହୋଇଛି। ଅଧିକାଂଶ ସମୟ ଆକାଶରେ ରହୁଥିବାରୁ ଅନ୍ୟ ପକ୍ଷୀଙ୍କ ତୁଳନାରେ କମନ ସ୍ୱିଫ୍ଟ ପ୍ରଜାତିର ପକ୍ଷୀଙ୍କୁ ବିଶେଷ ରୋଗ ହୋଇ ନ ଥାଏ ବୋଲି ବିଭିନ୍ନ ଅଧ୍ୟୟନରୁ୍ ଜଣାପଡ଼ିଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button