ସଙ୍ଗମରେ ଏବେ ବି ବୁଡ଼ ପକାଇବାକୁ ଚାଲିଛନ୍ତି ଶ୍ରଦ୍ଧାଳୁ

ପ୍ରୟାଗରାଜ: ସରିଲାଣି ମହାକୁମ୍ଭ, ହେଲେ ସରୁନି ଶ୍ରଦ୍ଧାଳୁଙ୍କ ବୁଡ଼ । ଗତ ବୁଧବାର ମହାଶିବରାତ୍ରିରେ ମହାକୁମ୍ଭ ଶେଷ ହୋଇଛି । କିନ୍ତୁ ଆଜି ବି ତ୍ରିବେଣୀ ସଙ୍ଗମରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବାକୁ ଭିଡ଼ ଜମାଇଛନ୍ତି । ଅନେକ ଶ୍ରଦ୍ଧାଳୁ ସଙ୍ଗମ ଘାଟରେ ସ୍ନାନ କରୁଥିବା ଦେଖିବାକୁ ମିଳିଛି ।
ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ବୁଡ଼ ଗତ ୨୬ ତାରିଖରେ ସରିଥିବାରୁ କିଛିମାତ୍ରାରେ ଭିଡ କମିଛି । ତଥାପି ଶ୍ରଦ୍ଧାଳୁଙ୍କ ତ୍ରିବେଣୀ ସଙ୍ଗମରେ ବୁଡପକା ଜାରି ରହିଛି । ଯେଉଁମାନେ ଏଯାଏଁ ପ୍ରୟାଗରାଜ ଛାଡି ନାହାନ୍ତି ସେମାନେ ଆଉ ଥରେ ଥରେ ବୁଡ ପକାଇବାର ସୁଯୋଗ ହାତ ଛଡା କରୁ ନାହାନ୍ତି । ଏବେ କିଛି ଦିନ ଏମିତି ଶ୍ରଦ୍ଧାଳୁ ବୁଡ଼ ପକାଇବେ । ଆଗାମୀ ସୋମବାର ଯାଏଁ ବୁଡ ଅଳ୍ପ ମାତ୍ରାରେ ହେଲେ ବି ଜାରି ରହିବ । କାରଣ ପୁଣି ଏକ ରବିବାର ନିକଟରେ ପଡୁଥିବାରୁ ଯେଉଁମାନେ ଭିଡ ଯୋଗୁ ମହାକୁମ୍ଭ ଯାଇ ପାରିନାହାନ୍ତି ସେମାନେ ଫାଙ୍କା ସମୟରେ ଯିବାକୁ ପସନ୍ଦ କରିବେ । ସେପଟେ ଟେଣ୍ଟ ଧୀରେ ଧୀରେ ଖୋଲା ଚାଲିଲାଣି । ହେଲେ ଶ୍ରଦ୍ଧାଳୁଙ୍କ ଯିବା କମିନି ।
ଆଉ କିଛି ଦିନ ଭିତରେ ଗଙ୍ଗା ନଦୀ ପଠା ଖାଁ ଖାଁ ହୋଇଯିବ । ପ୍ରୟାଗରାଜରେ ଭିଡ ଏଥର ସବୁଠାରୁ ଅଧିକ ହୋଇଥିଲା । ତେବେ ମହାଶିବରାତ୍ରୀରେ ଅନ୍ତିମ ଅମୃତ ସ୍ନାନ ସହ ଶେଷ ହୋଇଛି ପୂର୍ଣ୍ଣ ମହାକୁମ୍ଭ । ଶେଷ ଦିନରେ ସଙ୍ଗମ ସ୍ଥଳରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା । ମହାଶିବରାତ୍ରି ଥିବାରୁ ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ତେବେ ୪୫ ଦିନରେ ମୋଟ୬୬ କୋଟିରୁ ଅଧିକ ବୁଡ ପକାଇଥିବା ସୂଚନା ମିଳିଛି ।