ମହାକୁମ୍ଭରେ ବୁଡ଼ ପକାଇବା ପରେ ବ୍ୟାପୁଛି ଚର୍ମରୋଗ: ଶ୍ରଦ୍ଧାଳୁ ଚିନ୍ତିତ

ନୂଆଦିଲ୍ଲୀ: ଆଉ ମାତ୍ର ଗୋଟିଏ ଦିନ ରହିଲା ମହାକୁମ୍ଭ ମେଳା । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ହେଉଥିବା ମହାକୁମ୍ଭ ମେଳା ଆସନ୍ତା ୨୬ ତାରିଖରେ ଶେଷ ହେବ । ଇତିମଧ୍ୟରେ ବିଭିନ୍ନ ସ୍ଥାନରୁ ଆସିଥିବା ୬୫ କୋଟିରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସାରିଲେଣି । ସବୁଠୁ ବଡ଼ କଥା ହେଲା ମହାକୁମ୍ଭରେ ବୁଡ଼ ପକାଇ ଘରକୁ ଫେରିଥିବା ଅନେକ ଶ୍ରଦ୍ଧାଳୁଙ୍କ ଶରୀରରେ ବିଭିନ୍ନ ଚର୍ମରୋଗ ଦେଖାଦେଉଥିବା ଜଣାଯାଇଛି । ଏବେ ଏହାକୁ ନେଇ ଶ୍ରଦ୍ଧାଳୁମାନେ ଚିନ୍ତିତ ହୋଇପଡ଼ିଛନ୍ତି ।
ଗତ କିଛିଦିନ ମଧ୍ୟରେ ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଲୋକଙ୍କଠାରେ ଚର୍ମ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖାସ୍କରି ମହାକୁମ୍ଭ ମେଳାକୁ ଯାଇ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ଫେରୁଥିବା ଶ୍ରଦ୍ଧାଳୁମାନଙ୍କ ନିକଟରେ ବିଭିନ୍ନ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଉଥିବା ନେଇ ସହରର କେତେଜଣ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଦାବି କରିଛନ୍ତି। ନିକଟରେ ମହାକୁମ୍ଭ ମେଳାରୁ ଫେରିଥିବା ବ୍ୟକ୍ତିମାନଙ୍କ ଦେହ କୁଣ୍ଡେଇ ହେବା, ଚର୍ମରେ ଦାଗ, ଫଙ୍ଗଲ ସଂକ୍ରମଣ ଆଦି ଚର୍ମରୋଗ ସମ୍ବନ୍ଧୀୟ ମାମଲା ବୃଦ୍ଧି ଘଟିଥିବା ନେଇ ରାଞ୍ଚିସ୍ଥିତ ଲକ୍ଷ୍ମୀ କ୍ଲିନିକ୍ର ଚର୍ମରୋଗ ବିଶେଷଜ୍ଞ ୟଶ୍ୱନ୍ତ ଲାଲ କହିଛନ୍ତି।
ଅଧିକ ସମୟ ଧରି ଓଦା ପୋଷାକ ପିନ୍ଧିବା, ଅପରିଷ୍କାର ପରିବେଶରେ ରହିବା ଏବଂ ମହାକୁମ୍ଭ ମେଳାରେ ବିଭିନ୍ନ ଅଂଶୀଦାର ସୁବିଧାଗୁଡ଼ିକୁ ଉପଭୋଗ କରିବା ଦ୍ୱାରା କୁଣ୍ଡେଇ ହେବା ଏବଂ ଶରୀରର ବିଭିନ୍ନ ସ୍ଥାନରେ ଦାଗ ପରି ଚର୍ମ ଜନିତ ସମସ୍ୟା ଲୋକଙ୍କ ନିକଟରେ ବଢ଼ିଥିବା ସେ କହିଛନ୍ତି।