ମହାକୁମ୍ଭରେ ମହାଜାମ୍: ଅସମ୍ଭାଳ ଭିଡ଼

ପ୍ରୟାଗରାଜ: ଆଉ ମାତ୍ର ୩ ଦିନ ପରେ ସରିବ ମହାକୁମ୍ଭ ମେଳା । ଏଥିଲାଗି ଦିନକୁ ଦିନ ଭିଡ଼ ଆହୁରି ଅସମ୍ଭାଳ ହୋଇପଡ଼ିଛି । ଆସନ୍ତା୨୬ ତାରିଖରେ ମହାକୁମ୍ଭ ସରୁଥିବାରୁ ଏବଂ ସେଦିନ ଶିବରାତ୍ରୀ ପଡୁଥିବାରୁ ଏହି ଦୁର୍ଲଭ ଅବସରରେ ସଙ୍ଗମରେ ପବିତ୍ର ବୁଡ ପକାଇବାକୁ ପ୍ରୟାଗରାଜ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ । ଆଜି ରବିବାର ଥିବାରୁ ସମସ୍ତେ ଛୁଟିରେ ମହାକୁମ୍ଭରେ ସାମିଲ ହେବାକୁ ପ୍ରୟାଗରାଜ ମୁହାଁ ହୋଇଛନ୍ତି । ଯେଉଁଥିପାଇଁ ଭିଡ ଅଧିକ ବଢିଯାଇଛି ।
ସମସ୍ତେ ନିଜ ନିଜ ଗାଡି ଧରି ବିଭିନ୍ନ ରାଜ୍ୟରୁ ଆସୁଥିବାରୁ ରାସ୍ତାରେ ଭିଡ ବେଶୀ ହେଉଛି । ଟ୍ରାଫିକ୍ ଜାମ୍ ଏତେ ହୋଇଛି ଯେ ପାଖାପାଖି ୨୫ କିଲୋମିଟର ଯାଏଁ ଲମ୍ବିଛି ଭିଡ । ଆଖି ଯେଯାଏଁ ପାଉଛି ସେଯାଏଁ କେବଳ ଗାଡିର ଲମ୍ବା ଧାଡି ଦେଖିବାକୁ ମିଳୁଛି । ଖାଲି କଣ ସେତିକି ଗାଡି ମଟରର କେଁ କାଁ ଶବ୍ଦରେ ଫାଟିପଡୁଛି ପୁରା ପରିବେଶ । ଗାଡି ହର୍ଣ୍ଣ ଏକପ୍ରକାର କାନକୁ ତାବଦା କରିପକାଇଲା ଭଳି ପରିସ୍ଥିତି ସୃଷ୍ଟି କରିଛି । ଯାହା ପାଦଚଲା ଲୋକଙ୍କୁ ସମସ୍ୟା ହେଉଛି । ଟ୍ରାଫିକ୍ ଜାମକୁ ନିୟନ୍ତ୍ରଣ ପାଇଁ ପୋଲିସ ବ୍ୟାପକ ବ୍ୟବସ୍ଥା କରିଥିବା ବେଳେ ଡ୍ରୋନ ଜରିଆରେ କେଉଁଠି ଭିଡ ଲାଗିଛି ତାକୁ ତଦାରଖ କରାଯାଉଛି । ଆଜି ଯାଏଁ ୬୦ କୋଟି ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଥିବା ବେଳେ ୨୬ ଫେବୃୟାରୀ ସୁଦ୍ଧା ଏହି ସଂଖ୍ୟା ୭୦ କୋଟି ପାର୍ କରିବାର ଅନୁମାନ କରାଯାଉଛି ।