ଦେଶ- ବିଦେଶ

ବାଳକଙ୍କ କଟା ଘାରେ ସିଲେଇ କରିବା ପରିବର୍ତ୍ତେ ଅଠା ଲଗାଇଦେଲେ ନର୍ସ

ବେଙ୍ଗାଲୁରୁ: କଟା ଘାରେ ଷ୍ଟିଜ୍ ନ ପକାଇ ଫେଭିକ୍ୱିକ୍ ଅଠା ଲଗାଇ ପଟି ଲଗାଇଲେ ନର୍ସ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା କର୍ଣ୍ଣାଟକରୁ ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ହସପିଟାଲରେ ଉତ୍ତେଜନା ଦେଖାଦେବା ପରେ ଉକ୍ତ ନର୍ସଙ୍କୁ ବଦଳି କରାଯିବା ସହ ନିଲମ୍ବନ ମଧ୍ୟ କରାଯାଇଛି । ଏହା ଜାଣିବା ପରେ ଲୋକେ ମୁଣ୍ଡରେ ହାତ ଦେଇଛନ୍ତି ।

ହାବେରି ଜିଲ୍ଲା ହନାଗଲ ତାଲୁକ ଅଞ୍ଚଳର ୭ ବର୍ଷର ବଙ୍କଳ ଗୁରୁକିଶନ ଖେଳୁଥିଲେ । ଏହି ସମୟରେ ତାଙ୍କ ଗାଲରେ ଗଭୀର ଆଘାତ ଲାଗିଗଲା । ଘରଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଅଡୁରୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡ୍ୟୁଟିରେ ଥିବା ନର୍ସ ଜ୍ୟୋତି ଗୁରୁଙ୍କ ଆଘାତ ସ୍ଥାନରେ ସିଲେଇ କରିବା ବଦଳରେ ଫେଭିକ୍ୱିକ୍ ଅଠା ଲଗେଇ ପଟି କରିଦେଲେ । ଘା’ ବହୁତ ଗଭୀର ଥିଲା, ଯେଉଁଥିରେ ଅତିକମରେ ୩ଟି ଷ୍ଟିଜ୍ ଦରକାର ଥିଲା । ସିଲେଇ କରିବା ପରିବର୍ତ୍ତେ ଜ୍ୟୋତି ଘା’ରେ ଅଠା ଲଗେଇଦେଲେ ।

ଏ ନେଇ ଗୁରୁଙ୍କ ପରିବାର ଲୋକେ ଉତ୍ତ୍ୟକ୍ତ ହୋଇପଡ଼ିଲେ । ନର୍ସଙ୍କୁ ଏନେଇ ପଚାରିବାରୁୁ ସେ ଏପରି ଉତ୍ତର ଦେଇଥିଲେ, ଯାହାକୁ ଶୁଣି ଗୁରୁଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ନର୍ସ କହିଥିଲେ ଯେ, ଷ୍ଟିଜ୍ କଲେ ଦାଗ ରହିବ । ମୁଁ ଅଭିଜ୍ଞ, ଏଇଟା ମୁଁ ପ୍ରଥମ ଥର କରୁନି । ଆଗରୁ ଏମିତି ଚିକିତ୍ସା କରି ମୁଁ ଅନେକଙ୍କୁ ଭଲ କରିଛି ବୋଲି ନର୍ସ ଯୁକ୍ତି କଲେ । ଏହାକୁ ନେଇ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ପରେ କର୍ତ୍ତୃପକ୍ଷ ତାଙ୍କର ବଦଳି କରିଦେଲେ । ଯେଉଁଥିରେ ସ୍ଥାନୀୟ ଲୋକେ ଅଧିକ ରାଗିଗଲେ । ପରେ ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଲା । ଘଟଣାର ପ୍ରାରମ୍ଭିକ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ମୁଖ୍ୟ ସଚିବ । ଯାହାପରେ ନର୍ସଙ୍କୁ ନିଲମ୍ବନ କରାଯାଇଛି । ଗୁରୁଙ୍କ ଚିକିତ୍ସା ସାଙ୍ଗକୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସଚିବ ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button