ଦେଶ- ବିଦେଶ

ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ୪୦ ଫୁଟ୍ କୂଅରେ ପଶିଲେ ମହିଳା

ଥିରୁଭାନନ୍ଥପୁରମ୍ : ସାବିତ୍ରୀ ନିଜ ସ୍ୱାମୀଙ୍କୁ ଯମଙ୍କ ପାଖରୁ ଫେରାଇ ଆଣିଥିଲେ । ଏହା ସମସ୍ତେ ଜାଣନ୍ତି । ହେଲେ ନିକଟରେ ଜଣେ ମହିଳା ନିଜ ସ୍ୱାମୀଙ୍କୁ ୪୦ ଫୁଟ୍ କୂଅରୁ ଉଦ୍ଧାର କରି ଚର୍ଚ୍ଚାକୁ ଆସିଛନ୍ତି । ଏହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମହିଳାଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି କେରଳରେ ।

କେରଳର ଏର୍ନାକୁଲମ୍ ଜିଲାର ପିରାଭୋମ୍ ମ୍ୟୁନିସିପାଲିଟି ଅଞ୍ଚଳରେ ରୁହନ୍ତି ୬୪ ବର୍ଷୀୟ ଅବସରପ୍ରାପ୍ତ ପୋଲିସ ଅଫିସର ରାମେସାନ୍ । ନିକଟରେ ସେ ନିଜ ଘର ଅଗଣାରେ ଥିବା ଗଛରୁ ଗୋଲମରିଚ ତୋଳୁଥିଲେ । ନିଜର ଅସାବଧାନତା ଯୋଗୁ ସେ ପାଖରେ ଥିବା କୂଅରେ ଖସିପଡ଼ିଥିଲେ। ଏହା ଦେଖି ତାଙ୍କ ସ୍ତ୍ରୀ ପଦ୍ମମ୍ ତାଙ୍କୁ ଉଦ୍ଧାର କରିବାକୁ ସଙ୍ଗେ ସଙ୍ଗେ ୪୦ ଫୁଟ୍ ଗଭୀର କୂୁଅରେ ପଶିଯାଇଥିଲେ ।

ପଦ୍ମମ୍ ପ୍ରଥମେ ପ୍ଲାଷ୍ଟିକ୍ ଦଉଡ଼ି କୂଅକୁ ପକାଇଥିଲେ । ହେଲେ ତାହା କାମ କରି ନ ଥଲା। ସେ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ପଡୋଶୀଙ୍କୁ କହି କୂଅ ମଧ୍ୟକୁ ପଶିଯାଇଥିଲେ। କୂଅରେ ପ୍ରାୟ ୫ ଫୁଟ୍‌ରୁ ଅଧିକ ଉଚ୍ଚତାର ପାଣି ଥିଲା। ପଦ୍ମମ୍ କୂଅ କାନ୍ଥରୁ ନଇଁରହି ସ୍ୱାମୀଙ୍କୁ ଛିଡ଼ାହୋଇ ରହିବାରେ ସାହାଯ୍ୟ କରିଥିଲେ । ଖବରପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଦଉଡ଼ି ଓ ଜାଲ ସହାୟତାରେ ଉଦ୍ଧାର କରିଥିଲେ। ଆହତ ହୋଇଥିବାରୁ ଉଭୟଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପଦ୍ମମ୍‌ଙ୍କ ଦୁଃସାହସିକତାକୁ ସୋସିଆଲ ମିଡିଆରେ ଉଚ୍ଚ ପ୍ରଶଂସା କରାଯାଇଛି। ତାଙ୍କର ତ୍ୱରିତ୍ ନିଷ୍ପତ୍ତି ଏବଂ ନିର୍ଭୀକ ପଦକ୍ଷେପକୁ ଅନେକ ଭୂୟସୀ ପ୍ରଶଂସା କରିଛନ୍ତି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button