ଦେଶ- ବିଦେଶ

ଭୁଟାନ ରାଜାଙ୍କ ସହ ଥିଲେ ୟୁପି ମୁଖ୍ୟମନ୍ତ୍ରୀ

ପ୍ରୟାଗରାଜ: ଭୁଟାନ ରାଜା ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ୍ ମଙ୍ଗଳବାର ଦିନ ପ୍ରୟାଗରାଜରେ ମହାକୁମ୍ଭର ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ। ଗସ୍ତ ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭୁଟାନ ରାଜାଙ୍କ ସହିତ ଯାଇଥିଲେ।

ଭୁଟାନ ରାଜା ଅରେଲ ଘାଟରେ ଆସ୍ଥାର ବୁଡ଼ ପକାଇଛନ୍ତି । ରାଜା ଜିଗମେ ଖେସର ନାମଗୟାଲ୍ ୱାଙ୍ଗଚୁକଙ୍କ ଫଟୋଗୁଡ଼ିକୁ ସିଏମ୍ ଯୋଗୀ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭୁଟାନ ରାଜା ସ୍ୱତନ୍ତ୍ର ବିମାନ ଯୋଗେ ବମରୌଲି ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠାରୁ ସେ ହେଲିକପ୍ଟର ଯୋଗେ ଅରେଲ ଘାଟରେ ପହଞ୍ଚି ସ୍ନାନ କରିଥିଲେ ।

ଏହା ପୂର୍ବରୁ ଭୁଟାନ ରାଜା ଓ ୟୁପି ସିଏମ୍ ବିଧି ବିଧାନର ସହ ସଙ୍ଗମ ତଟରେ ପୂଜାର୍ଚ୍ଚନା କରିଥିଲେ । ଉଭୟ ପାରାଙ୍କୁ ଦାନା ଖୁଆଉଥିବା ନଜର ଆସିଥିଲେ । ରାଜା ଅକ୍ଷୟବଟ ଏବଂ ଲାଟେ ହନୁମାନ ମନ୍ଦିର ଦର୍ଶନ କରିବା ପରେ ଦ୍ୱିପ୍ରହରରେ ପ୍ରୟାଗରାଜରୁ ପ୍ରତ୍ୟାବର୍ତ୍ତନ କରିବେ ।

ପ୍ରୟାଗରାଜ ଗସ୍ତ ପୂର୍ବରୁ, ୱାଙ୍ଗଚୁକ୍ ଲକ୍ଷ୍ନୌରେ ପହଞ୍ଚିଥିଲେ ଯେଉଁଠାରେ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ତାଙ୍କୁ ଆତିଥ୍ୟ ଦେଇଥିଲେ। ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ରାଜାଙ୍କ ସହ ଭାରତ-ଭୁଟାନ ସମ୍ପର୍କ ଉପରେ ବିସ୍ତୃତ ଆଲୋଚନା କରିଥିଲେ।

ଭୁଟାନର ରାଜା ଏବଂ ରାଣୀ ପୂର୍ବରୁ ଡିସେମ୍ବର ୨୦୨୪ ଏବଂ ମାର୍ଚ୍ଚ ୨୦୨୪ ରେ ଦିଲ୍ଲୀ ଗସ୍ତ କରିଥିଲେ। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ନେତା ଥିଲେ ଯାହାଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଡ୍ରୁକ୍ ଗ୍ୟାଲପୋ’ ପ୍ରଦାନ କରାଯାଇଥିଲା।

ଏକ ବିବୃତ୍ତିରେ, ଉତ୍ତର ପ୍ରଦେଶ ସରକାର କହିଛନ୍ତି ଯେ ୭୩ ଜଣ ବିଦେଶୀ କୂଟନୀତିଜ୍ଞ ଏବଂ ଅତିଥିଙ୍କ ଏକ ପ୍ରତିନିଧିମଣ୍ଡଳ କିଛି ଦିନ ପୂର୍ବେ ମହା କୁମ୍ଭମେଳା ପରିଦର୍ଶନ କରିଥିଲେ ଏବଂ ଗସ୍ତ ପାଇଁ କରାଯାଇଥିବା ବ୍ୟବସ୍ଥା ଉପରେ ସେମାନଙ୍କର ଖୁସି ପ୍ରକାଶ କରିଥିଲେ।

ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ ୧୨ଟା ପର‌୍ୟ୍ୟନ୍ତ ୫୪ ଲକ୍ଷରୁ ଅଧିକ ଭକ୍ତ ମହାକୁମ୍ଭରେ ବୁଡ଼ ପକାଇଥିଲେ। ୟୁପି ସରକାରଙ୍କ ଅନୁଯାୟୀ, ଜାନୁଆରୀ ୧୩ ତାରିଖରେ ମହାକୁମ୍ଭ ଆରମ୍ଭ ହେବା ପରଠାରୁ ଏପର‌୍ୟ୍ୟନ୍ତ ମୋଟ ୩୭.୫୦ କୋଟିରୁ ଅଧିକ ଭକ୍ତ ପବିତ୍ର ସ୍ନାନ କରିସାରିଛନ୍ତି। ମହାକୁମ୍ଭ ୨୬ ଫେବୃଆରୀରେ ଶେଷ ହେବ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button