ଦେଶ- ବିଦେଶ

ଡାକ୍ତର କହିଲେ ମୃତ, ହମ୍ପସରେ ଛେଚି ହୋଇ ହେଲେ ଜୀବିତ

ନୂଆଦିଲ୍ଲୀ: ରୋଗୀଙ୍କୁ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଖବରପାଇ କାନ୍ଦ ବୋବାଳିରେ ଫାଟି ପଡିଲା ଘର । ଆଖପାଖ ଲୋକ ଘରେ ଆସି ପହଞ୍ଚିଗଲେ । ଏମିତି କି ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ କରିଲେ ବନ୍ଦୋବସ୍ତ । କିଛି ସମୟ ଭିତରେ ଘରେ ଆସି ପହଞ୍ଚିଥାନ୍ତା ମୃତଦେହ । ହେଲେ ଏହି ସମୟରେ ଏମିତି କିଛି ଖବର ଘରେ ଆସି ପହଞ୍ଚିଲା, ଯାହାକୁ ଶୁଣି ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଶୋକାକୁଳ ପରିବେଶ ହଠାତ୍ ବଦଳିଗଲା । ପ୍ରତ୍ୟେକ ଲୋକଙ୍କ ମୁହଁରେ ଫୁଟିଲା ହସ । ଏହା କ’ଣ ସମ୍ଭବ ବୋଲି ଆଲୋଚନା ହେଲା । ନିକଟରେ ଏକ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣୁଥିବା ବେଳେ ଅଧାବାଟରେ ଜୀବିତ ହୋଇ ଉଠିଥିବା ଜାଣିବାକୁ ମିଳିଛି । ମହାରାଷ୍ଟ୍ରର କୋଲାହପୁରର କସାବା-ବୱାଡାରୁ ସାମ୍ନାକୁ ଆସିଛି ଏଭଳି ଘଟଣା ।

କସାବା-ବୱାଡାର ୬୫ ବର୍ଷୀୟ ପାଣ୍ଡୁରାଙ୍ଗ ଉଲପେ । ହଠାତ୍ ତାଙ୍କର ଘରେ ହୃଦଘାତ ହେଲା । ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଲେ । ଚିକିତ୍ସିତ ହେବାର କିଛି ସମୟ ପରେ ଡାକ୍ତର ମୃତ ଘୋଷଣା କରିଲେ । ଏହାପରେ ପରିବାର ଲୋକେ ନିରାଶ ହୋଇ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଘରକୁ ଆଣୁଥିଲେ । ସେପଟେ ପରିବାର ଲୋକେ ଓ ପଡୋଶୀ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଲେ । ଅଧା ବାଟରେ ଆମ୍ବୁଲାନ୍ସଟି ଏକ ହମ୍ପସରେ ଛେଚିହେବାରୁ ମୃତଦେହର ଜୀବନ ଫେରିଆସିଥିଲା । ହଠାତ୍ ତାଙ୍କର ଆଙ୍ଗୁଠି ଚଳପ୍ରଚଳ ଦେଖି ପରିବାର ଲୋକେ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରିଲେ । ବର୍ତ୍ତମାନ ସେ ସୁସ୍ଥ ହୋଇ ଘରକୁ ଫେରି ଆସିଛନ୍ତି । ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରାଯାଇଥିବା ବେଳେ ସେ ଘରକୁ ଫେରିବାର ଖୁସି ସମସ୍ତଙ୍କୁ ଆତ୍ମବିଭୋର କରିଦେଇଛି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button