ବରଫ ଭିତରେ ଦ୍ରୁତଗତିରେ ଚାଲୁଛି ଟ୍ରେନ୍

ନୂଆଦିଲ୍ଲୀ : ସାରା ଦେଶ ଏବେ ଶୀତରେ ଥରୁଛି । ହେଲେ ଜମ୍ମୁ -କଶ୍ମୀରରେ ବରଫର ତୁଷାରପାତ ଅସମ୍ଭାଳ ହୋଇପଡ଼ିଛି । ଜୁଆଡ଼େ ଦେଖିବ ଖାଲି ବରଫ ହିଁ ବରଫ । ବିଭିନ୍ନ ଗାଡ଼ି ବରଫରେ ଆଚ୍ଛାଦିତ ହେଉ ପଡ଼ୁଥିବା ବେଳେ ବଣିହାଲ-ବାରମୂଳା ଟ୍ରାକ୍ରେ ଟ୍ରେନ୍ ପ୍ରବଳ ବରଫ ଭିତରେ ଦ୍ରୁତ ଗତି ଯାତାୟାତ କରୁଛି। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ନିକଟରେ ଏହାର ଏକ ଫଟୋ ସେୟାର କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।
ରେଳ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, କ୍ରମାଗତ ତୁଷାରପାତ ଏବଂ ଟ୍ରାକ୍ରେ ବହୁ ପରିମାଣର ବରଫ ଜମା ହେବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହେଉଛି । ଟ୍ରାକ୍ରେ ପ୍ରବଳ ବରଫ ଜମା ହେବା ଏବଂ ତୁଷାରପାତ ହେତୁ ଏହି ବିଭାଗରେ ଟ୍ରେନ୍ ସେବାକୁ ଶନିବାର ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା। କଶ୍ମୀର ଉପତ୍ୟକାରେ ଯାତ୍ରୀ ଏବଂ ମାଲ୍ ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଲାଇଫ୍ ଲାଇନ ଭାବରେ କାର୍ଯ୍ୟ କରୁଥିବା ବଣିହାଲ-ବାରମୂଳା ରେଳ ଲାଇନ ଶୀତଋତୁରେ ଅନେକ ସମୟରେ ବ୍ୟାଘାତର ସମ୍ମୁଖୀନ ହୁଏ। ଏହି ଅଞ୍ଚଳରେ ପ୍ରବଳ ତୁଷାରପାତ କେବଳ ରେଳ ଚଳାଚଳ ଉପରେ ପ୍ରଭାବ ପକାଇ ନାହିଁ । ବରଂ ସଡ଼କ ପରିବହନ ତଥା ଅନ୍ୟାନ୍ୟ ଜରୁରୀ ସେବାରେ ମଧ୍ୟ ଅସୁବିଧା ସୃଷ୍ଟି କରିଛି। ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ, ଯେ ଆଗାମୀ ଦିନରେ ତୁଷାରପାତ ଜାରି ରହିବ । ତେଣୁ କର୍ତ୍ତୃପକ୍ଷ ଏଥିପ୍ରତି ସଜାଗ ରହିବାକୁ ସତର୍କ ସୂଚନା ଜାରି କରିଛନ୍ତି ।