ମୋ ଠାରୁ ଭଲ ଅଭିନୟ କରୁଛନ୍ତି ନନା : ଏମିତି କହିଲେ ଜୟା
ନୂଆଦିଲ୍ଲୀ: ମୋଠାରୁ ଭଲ ଅଭିନୟ କରୁଛନ୍ତି ନନା । ତାଙ୍କୁ ପ୍ରକୃତରେ ଓସ୍କାର ମିଳିବା ଆବଶ୍ୟକ । ଖାଲି ଓସ୍କାର ନୁହେଁ, ସବୁ ପ୍ରକାରର ପୁରସ୍କାର ମିଳିବା ଦରକାର । ଏପରି କହିଛନ୍ତି ଏମପି ତଥା ଅଭିନେତ୍ରୀ ଜୟା ବଚ୍ଚନ । ବିଜେପି ଏମପି ପ୍ରତାପ ଷଢଙ୍ଗୀ ଟାର୍ଗେଟ କରି ଏହା କହିଛନ୍ତି ଜୟା ।
ସଂସଦରେ ଧସ୍ତାଧସ୍ତିକୁ ନେଇ ରାଜନୀତି ଏବେ ପୂରା ସରଗରମ । ଏହାରି ଭିତରେ ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମପି ଜୟା ବଚ୍ଚନ ସଂସଦ କାଣ୍ଡକୁ ନେଇ ଭାଜପା ଏମପି ପ୍ରତାପ ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ଜୟା କହିଛନ୍ତି, ଏସବୁ କେବଳ ଅଭିନୟ। ଏଥିସହ କ୍ୟାମେରା ଆଗରେ ପ୍ରତାପ ଓ ମୁକେଶ ରାଜପୁତ ଯେଉଁଭଳି ଭାବେ ଆହତର ଅଭିନୟ କରିଛନ୍ତି, ସେମାନଙ୍କୁ ଓସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ମିଳିବା ଦରକାର । ପ୍ରତାପ କେବଳ ଡ୍ରାମା କରୁଛନ୍ତି। ଆମେ ଗୃହକୁ ଯାଉଥିଲୁ। କିନ୍ତୁ ସେମାନେ ଆମ ବାଟ ପାହାଚ ପାଖରେ ଅଟକାଇଥିଲେ। ଏପରି ସ୍ଥିତିରେ କାହା ଦେହରେ କିଛି ଧକ୍କା ଲାଗିବା ସ୍ୱାଭାବିକ ଘଟଣା। ଦୁଇଜଣ ଭାଜପା ଏମପି ଓ ନାଗାଲ୍ୟାଣ୍ଡର ମହିଳା ଏମପି ଜଣଙ୍କ ଚମତ୍କାର ଅଭିନୟ କରିଛନ୍ତି। ମୁଁ ମୋ କ୍ୟାରିୟରରେ ଯେତିକି ଅଭିନୟ କରି ନାହିଁ, ସେମାନେ ତା’ ଠାରୁ ଭଲ କରିଛନ୍ତି। ସେମାନେ ନିଜର ଅଭିନୟ ପାଇଁ ଓସ୍କାର ଠାରୁ ଆରମ୍ଭ କରି ସବୁ ପ୍ରକାରର ପୁରସ୍କାର ପାଇବାକୁ ଯୋଗ୍ୟ।
ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ସମ୍ପର୍କରେ ସଂସଦ ଗୃହ କମ୍ପେ୍ଲକ୍ସରେ କଂଗ୍ରେସ ଏକ ପଦଯାତ୍ରା କରିଥିଲା। ଏହାର ଜବାବରେ ଭାଜପା କଂଗ୍ରେସକୁ ମିଥ୍ୟା ରାଜନୀତି କରୁଛି ବୋଲି ଅଭିଯୋଗ କରିଛି। ଏହି ସମୟରେ ଉଭୟ ଦଳର ଏମପିମାନେ ସଂସଦ ଗୃହର ଫାଟକ ନିକଟରେ ମୁହାଁମୁହିଁ ହୋଇଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏହି ସମୟରେ ପ୍ରତାପ ଷଡଙ୍ଗୀ ଆହତ ହୋଇଥିଲେ । କଂଗ୍ରେସ ଏମପି ରାହୁଲ ଅନ୍ୟ ଜଣେ ଏମପିଙ୍କୁ ଠେଲି ଦେବାରୁ ସେ ମୋ ଉପରେ ପଡ଼ିଯିବାରୁ ମୁଁ ତଳେ ପଡ଼ିଗଲି । ଫଳରେ ମୋ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ବୋଲି କହିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।