ସନ୍ତାନ ଆଶାରେ କୁକୁଡ଼ା ଚିଆଁ ଗିଳିଦେଲେ ଯୁବକ, ଚାଲିଗଲା ଜୀବନ
ରାୟପୁର: କେଉଁ ଆବହମାନ କାଳରୁ ଆମ ସମାଜରେ ଅନ୍ଧବିଶ୍ୱାସ, କୁସଂସ୍କାର ଓ ଗୁଣିଗାରେଡ଼ି ପ୍ରଥା ପ୍ରଚଳିତ ରହିଆସିଛି। ପୂର୍ବେ ଭଲ ଫସଲ ଅମଳ ଆଶାରେ କ୍ଷେତରେ ନରବଳି ଦିଆଯାଉଥିଲା ତ କେଉଁଠି ନିଜର ରିଷ୍ଟ ଖଣ୍ଡନ, ମନସ୍କାମନା ପୂରଣ ପାଇଁ ଦେବାଦେବୀଙ୍କ ପାଖରେ ପଶୁବଳି ଓ ବିଭିନ୍ନ ଫୁଲ, ଫଳ ଅର୍ପଣ କରାଯାଉଥିଲା। ବସନ୍ତ, ମିଳିମିଳା ଆଦି ରୋଗ ହେଲେ, ଡାକ୍ତରଖାନା ନେବା ବଦଳରେ ଗୁଣିଗାରେଡ଼ିଙ୍କ ପାଖକୁ ନେବା, କାହାକୁ ସାପ କାମୁଡ଼ିଲେ ଚିିକିତ୍ସା କରିବା ବଦଳରେ ଝଡାଫୁଙ୍କା କରିବା ଇତ୍ୟାଦି ଅନେକ ଅନ୍ଧବିଶ୍ୱାସକୁ ଲୋକେ ଗ୍ରହଣ କରନ୍ତି। ବିଶେଷକରି ଦୁର୍ଗମ ଅଞ୍ଚଳରେ ଗମନା ଗମନର ସୁବିଧା କିମ୍ବା ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ଉପଯୁକ୍ତ ଡାକ୍ତରଖାନା ନଥିବାରୁ କାହାର ଦେହ ଖରାପ ହେଲେ ସେମାନେ ଗୁଣିଗାରେଡ଼ି ବା ଝଡ଼ାଫୁଙ୍କାରେ ବିଶ୍ୱାସ କରନ୍ତି। ଏବେ ସେମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବକଙ୍କ ତନ୍ତ୍ରମନ୍ତ୍ର ଯୋଗୁଁ ଜୀବନ ଯାଇଛି ।
ଛତିଶଗଡରେ ଯାଦବ ଜଣେ ୩୫ ବର୍ଷ ବୟସ୍କ ଯୁବକ ଗାଧୋଇ କି ଆସିବା ପରେ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ସମୟରେ ଡାକ୍ତରମାନେ ଉକ୍ତ ଯୁବକଙ୍କ ବେକରୁ ଗୋଟିଏ କୁକୁଡ଼ା ଚିଆଁ ବାହାର କରିଥିଲେ।ତେବେ ଚିଆଁ ଗଳାରେ ଫସି ରହିଥିବାରୁ ଶ୍ୱାସନଳୀ ଏବଂ ଖାଦ୍ୟ ନଳୀ ଜାମ୍ ହୋଇଯାଇଥିଲା ବୋଲି ଡାକ୍ତର କହିଛନ୍ତି। ଯେଉଁଥିପାଇଁ ଶ୍ୱାସରୁଦ୍ଧ ହୋଇ ତାଙ୍କ ଜୀବନ ଚାଲିଗଲା ।
ସ୍ଥାନୀୟ ଲୋକଙ୍କ କହିବା କଥା, ଯାଦବଙ୍କ ମୃତ୍ୟୁ ପଛରେ ତନ୍ତ୍ରମନ୍ତ୍ର ମାମଲା ଥାଇପାରେ। ଯାଦବଙ୍କର ସନ୍ତାନ ନ ଥିବାରୁ ଏକ ତାନ୍ତ୍ରିକଙ୍କ ସହ ଯୋଗାଯୋଗ କରିଥିଲେ। ସେ ସନ୍ତାନ ଆଶାରେ କୁକୁଡ଼ାକୁ ଗିଳି ଦେଇଥିବେ। ଯେଉଁଥିପାଇଁ ତାଙ୍କର ଶ୍ୱାସନଳୀ ଏବଂ ଖାଦ୍ୟ ନଳୀ ଜାମ୍ ହୋଇଯାଇଥିଲା। ଏହି କାରଣରୁ ସେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।