ବରଯାତ୍ରୀଙ୍କ ସହିତ ସାଇକେଲରେ କନ୍ୟା ଘରକୁ ଗଲେ ବର
ନୂଆଦିଲ୍ଲୀ : ନିଆରା ଚିନ୍ତାଧାରା, ନିଆରା ବିବାହ । ଆଜିକାଲି ସମାଜରେ ସମସ୍ତେ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ସଭିଏଁ ନିଜ ନିଜର ବାହାଘର ଆଡମ୍ବର ସହକାରେ କରିବା ପାଇଁ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ହେଲେ ଏମିତି ଏକ ବାହାଘର ଏବେ ସାମ୍ନାକୁ ଆସୁଛି ଯାହାକୁ ଦେଖି ଆପଣ ବି କହିବେ ଆଜିର ସମାଜରେ ଏମିତି ବି ଲୋକ ଅଛନ୍ତି ଯିଏ କେବଳ ନିଜ କଥା ନୁହେଁ ଏଇ ସମାଜର ମଙ୍ଗଳ କଥା ଚିନ୍ତା କରୁଛନ୍ତି । ଆଉ ଏଭଳି ପଦକ୍ଷପ ନେଉଛନ୍ତି ଯାହା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିବ । ବାହାଘରରେ ବର ହେଉ କି କନିଆ ସଭିଏଁ ନିଜ ପେଷାକ, ମେକଅପ୍ , ଅଳଙ୍କାର, ବରଯାତ୍ରୀ ତଥା ଭୋଜି ଭାତ କଥା ଚିନ୍ତା କରିଥାନ୍ତି ହେଲେ ଏମିତି ଏକ ବାହାଘରର ଯେଉଁଠି ଏସବୁ କଥା ନୁହେଁ ବରଂ ପରିବେଶ, ପ୍ରଦୂଷଣ କଥାକୁ ବେଶି ଗୁରୁତ୍ୱ ଦିଆଯାଇଛି । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବର ଓ ବରଯାତ୍ରୀ ସାଇକେଲରେ କନ୍ୟା ଘରକୁ ଯାଉଛନ୍ତି ।
ପ୍ରଦୂଷଣକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ବିଶ୍ୱନାଥଗଞ୍ଜ ଅଞ୍ଚଳର ନମନ ତିୱାରୀ ନାମକ ଜଣେ ଯୁବକ ଏହି ନିଆରା ଉପାୟ ଅବଲମ୍ବନ କରିଛନ୍ତି । ସେ ପ୍ରାୟ ୧୦୦ ଜଣ ବରଯାତ୍ରୀଙ୍କ ସହିତ ୧୦ କିମି ସାଇକେଲ ଚଳାଇ ବିବାହ କରିବାକୁ କନ୍ୟା ଘରେ ପହଞ୍ଚିଥିଲେ । ଶେରୱାନି ପିନ୍ଧି ବର ବେଶରେ ସାଇକେଲ୍ ଚଲାଇ ଯାଉଥିବା ବରକୁ ଦେଖି ରାସ୍ତାରେ ଅନେକ ଲୋକ ଭିଡିଓ କରିଥିଲେ ।
ନମନ କୃଷି ବିଭାଗରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ତାଙ୍କର ବିବାହ ଛଅମାସ ପୂର୍ବରୁ ପ୍ରୟାଗରାଜର ପ୍ରିଂଶୁ ମିଶ୍ରାଙ୍କ ସହିତ ସ୍ଥିର ହୋଇଥିଲା । ନମନଙ୍କ ବାପା ଅଜୟ ତିୱାରୀ ପରିବେଶ ସେନା ନାମକ ଏକ ସଂସ୍ଥାର ମୁଖ୍ୟ ଅଛନ୍ତି । ସେ ନମନଙ୍କୁ ବିବାହ ଶୋଭାଯାତ୍ରାରେ ପ୍ରଦୂଷଣକୁ ଯଥାସମ୍ଭବ କମ୍ କରିବାକୁ ପରାମର୍ଶ ଦେଇଥିଲେ । ଏ ସଂପର୍କରେ ନମନ କହିଛନ୍ତି, ବାପାଙ୍କ ପରାମର୍ଶ ଅନୁସାରେ ମୁଁ କୌଣସି ଗାଡ଼ି କି ଘୋଡ଼ା ନୁହେଁ, ସାଇକେଲ୍ରେ ହିଁ ବିବାହ କରିବାକୁ ଯିବାକୁ ନିଷ୍ପତ୍ତି ନେଲି । ତେବେ କନ୍ୟାପକ୍ଷଙ୍କୁ ଏକଥା ଜଣାଇଲା ପରେ ପ୍ରଥମେ ସେମାନେ ମନ ଊଣା କରିଥିଲେ । ପରେ ଅବଶ୍ୟ ରାଜି ହୋଇଥିଲେ । ବ୍ୟାଣ୍ଡ ବାଜାର ତାଳେ ତାଳେ ସାଇକେଲ୍ରେ ନମନ ଓ ତାଙ୍କ ବରଯାତ୍ରୀ ବାହାରିଥିଲେ । ବରକୁ ସାଇକେଲରେ ଦେଖିବା ପାଇଁ ରାସ୍ତାରେ ଲୋକେ ଭିଡ଼ ଜମାଇଥିଲେ । ବରଙ୍କ ସହିତ ଅନେକ ସେଲ୍ଫି ବି ନେଇଥିଲେ ।
ସବୁଠୁ ବଡ଼ କଥା ହେଲା , ଏହି ବିବାହ ଶୋଭାଯାତ୍ରା ସମୟରେ ଗୋଟିଏ ବି ବାଣ ଫୁଟାଯାଇ ନ ଥିଲା । ନମନଙ୍କ ପିତା ଅଜୟ ତିୱାରୀ କହିଛନ୍ତି, ରାଜଧାନୀ ଦିଲ୍ଲୀ ସମେତ ଉତ୍ତରଭାରତର ଅନେକ ସହରରେ ଏବେ ବାୟୁ ପ୍ରଦୂଷଣ ସବୁଠୁ ବଡ଼ ଚିନ୍ତା । ଏଭଳିସ୍ଥିତିରେ ଆମ ସମସ୍ତଙ୍କୁ ପରିବେଶକୁ ନେଇ ସତର୍କ ରହିବାକୁ ହେବ । ପ୍ରଦୂଷଣକୁ କମ୍ କରିବାକୁ ନିଜ ନିଜ ସ୍ତରରେ ଉଦ୍ୟମ କରିବାକୁ ବି ପଡି଼ବ ।