ଦେଶ- ବିଦେଶ

ମୋବାଇଲ ନ ଦେଖିବା ପ୍ରତିଯୋଗିତା, ୧ ଲକ୍ଷ ଟଙ୍କା ଜିତିଲେ ମହିଳା

ନୂଆଦିଲ୍ଲୀ : ନାଚଗୀତ ହେଉ କି ଖେଳକୁଦ ବା ସୁନ୍ଦରୀ ପ୍ରତିଯୋଗିତା ହେଉଥିବା ଆପଣ ଜାଣିଥିବେ । ହେଲେ କେବେ ଶୁଣିଛନ୍ତି ମୋବାଇଲ ନ ଦେଖିବା ପ୍ରତିଯୋଗିତା ? ନିକଟରେ ଏମିତି ଏକ ପ୍ରତିଯୋଗିତା ଆୟୋଜିତ ହୋଇଛି, ଯେଉଁଥିରେ ପ୍ରତିଯୋଗୀମାନେ ଘଣ୍ଟା ଘଣ୍ଟା ଧରି ମୋବାଇଲ ବ୍ୟବହାର କରି ନ ଥିଲେ । ଆଉ ଶେଷରେ ଜଣେ ମହିଳା ୮ ଘଣ୍ଟା ମୋବାଇଲ ନ ଦେଖି ବିଜୟୀ ହୋଇଛନ୍ତି ଏବଂ ପୁରସ୍କୃତ ବି ହୋଇଛନ୍ତି ।

ମୋବାଇଲ ଫୋନ୍ ଏବେ ଆମ ସମସ୍ତଙ୍କ ଜୀବନର ଅଂଶବିଶେଷ ପାଲଟିଛି । ନିକଟରେ ଦକ୍ଷିଣ ପଶ୍ଚିମ ଚୀନ୍‌ର ଚୋଙ୍ଗକିଙ୍ଗ ନଗର ପାଳିକାର ଏକ ଶପିଂ ସେଣ୍ଟରରେ ମୋବାଇଲ ନ ଦେଖିବାର ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରାୟ ୧୦୦ ଜଣ ଆବେଦନ କରିଥିଲେ । ସେଥିମଧ୍ୟରୁ ମାତ୍ର ୧୦ ଜଣ ଭାଗ ନେଇଥିଲେ । ପ୍ରତିଯୋଗୀମାନଙ୍କୁ ଏକ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ବେଡ୍‌ରେ ସ୍ମାର୍ଟଫୋନ୍‌, ଲାପଟପ୍‌, ଆଇପ୍ୟାଡ୍ ଭଳି ଇଲୋକ୍ଟ୍ରେନିକ ଡିଭାଇସ୍ ବିନା ୮ ଘଣ୍ଟା ବିତାଇବାକୁ କୁହାଯାଇଥିଲା । ପୁଣି ସେମାନଙ୍କୁ ଅଧିକାଂଶ ସମୟ ବିଛଣାରେ ହିଁ କଟାଇବାର ଥିଲା । କେବଳ ଶୌଚାଳୟ ଯିବାକୁ ୫ ମିନିଟ୍ ବିରତି ବ୍ୟବସ୍ଥା ରହିଥିଲା ।

ପ୍ରତିଯୋଗିତା ଆରମ୍ଭ ହେବା ମାତ୍ରେ ପ୍ରତିଯୋଗୀମାନେ ଫୋନ୍‌କୁ ହସ୍ତାନ୍ତର କରିଦେଇଥିଲେ । ଏହାପରେ ଆୟୋଜକମାନେ ସେମାନଙ୍କ ହାତରେ ରିଷ୍ଟ ଷ୍ଟ୍ରାପ୍ ବାନ୍ଧି ସେମାନଙ୍କର ନିଦ ଓ ମାନସିକ ଚାପର ସ୍ତରକୁ ମାପିଥିଲେ । ପ୍ରତିଯୋଗୀଙ୍କୁ ଗଭୀର ନିଦରେ ଶୋଇବା କିମ୍ବା ମାନସିକ ଚାପର ଲକ୍ଷଣ ଦେଖାଇବାକୁ ମନା କରାଯାଇଥିଲା । ଅଧିକାଂଶ ଲୋକେ ବହି ପଢ଼ି କିମ୍ବା ବିଛଣାରେ ଶୋଇ ସମୟ ବିତାଇଥିଲେ । ଏହି ଅବଧିରେ ସେମାନଙ୍କ ବିଛଣା ନିକଟକୁ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଥିଲା ।

ଶେଷରେ ଡୋଙ୍ଗ ନାମ୍ନୀ ଜଣେ ମହିଳା ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ । ସେ ମୋଟ ୧୦୦ ମାର୍କ ମଧ୍ୟରୁ ୮୮.୯୯ ପଏଣ୍ଟ ରଖିଥିଲେ । ଡୋଙ୍ଗ ସବୁଠୁ ଅଧିକ ସମୟ ମୋବାଇଲ୍ ବିନା ବିଛଣାରେ ରହିଥିବାବେଳେ ତାଙ୍କ ନିକଟରେ ଚାପର କୌଣସି ପ୍ରକାର ଲକ୍ଷଣ ଦେଖାଯାଇନଥିଲା । ବିଜୟୀ ହେବାପରେ ଏକ ଫାଇନାନ୍ସ ଫାର୍ମରେ ସେଲ୍ସ ମ୍ୟାନେଜର ଭାବେ କାମ କରୁଥିବା ଡୋଙ୍ଗ କହିଛନ୍ତି, ସେ ତାଙ୍କର ଫାଙ୍କା ସମୟରେ ପିଲାମାନଙ୍କୁ ପଢ଼ାଇଥାନ୍ତି । ମୋବାଇଲ ଓ ଅନ୍ୟ ଇଲୋକ୍ଟ୍ରୋନିକ ଡିଭାଇସ୍‌ର ଯଥାସମ୍ଭବ କମ୍ ବ୍ୟବହାର ଲାଗି ଉଦ୍ୟମ କରିଥାନ୍ତି । ପୁରସ୍କାର ସ୍ୱରୂପ ସେ ୧୦ ହଜାର ୟୁଆନ୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧ ଲକ୍ଷ ୧୬ ହଜାର ଟଙ୍କା ଜିତିଛନ୍ତି ।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button