ରାଜ୍ୟ

ତୃତୀୟ ଥର ମା’ ହେଲା ବାଘୁଣୀ ରୂପା

ବାରଙ୍ଗ: ନନ୍ଦନକାନନରେ ବଢିଲା ବାଘ ସଂଖ୍ୟା । ଏଠାରେ ଧଳାବାଘୁଣୀ ରୂପା ମା’ ହୋଇଛି । ସେ ୪ଟି ଶାବକ ଜନ୍ମ ଦେଇଛିି । ବାଘୁଣୀ ମା’ ଓ ଛୁଆ ସମସ୍ତେ ସୁସ୍ଥ ଅଛନ୍ତି । ରୂପା ଏବେ ତୃତୀୟ ଥର ପାଇଁ ମା’ ହୋଇଛି। ବିରଳ କଳାବାଘ କ୍ରିଷ୍ଣା ଔରସରୁ ରୂପା ଏହି ୪ ଶାବକକୁ ଜନ୍ମ ଦେଇଛି। ଆଗାମୀ ଦିନରେ ନୂଆ ଅତିଥିମାନଙ୍କର ନାମକରଣ କରାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି।

ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ‘ନନ୍ଦନକାନନ’ ପ୍ରାଣୀ ଉଦ୍ୟାନ । ୨୦୧୮ ରେ ସେପ୍ଟେମ୍ବର ୨୨ ତାରିଖରେ ମହାବଳ ବାଘ ‘ରୋଶନ’ ଓ ବାଘୁଣୀ ‘ବିଜୟା’ଙ୍କ ମିଳନରୁ ଜନ୍ମ ନେଇଥିଲା ରୂପା। ସେ ୬ ବର୍ଷ ବୟସରେ ତୃତୀୟ ଥର ପାଇଁ ମା’ ହୋଇଛି । ସିସିଟିଭି ଫୁଟେଜ୍ ଆଧାରରେ ରୂପା ସକାଳ ୫ଟା ୪୩ ମିନିଟ୍‌ରେ ପ୍ରଥମ ଶାବକକୁ ଜନ୍ମଦେଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ସାଢ଼େ ୯ଟା ସୁଦ୍ଧା ସବୁ ଶାବକ ଜନ୍ମ ଦେଇଥିଲା ।

ମା’ ରୂପାର ରଙ୍ଗ ଧଳା ଓ ବାପା କ୍ରିଷ୍ଣା ବିରଳ କଳା ହୋଇଥିବାରୁ ଛୁଆମାନଙ୍କ ରଙ୍ଗକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ମାତ୍ର ଏବେ ସେମାନଙ୍କ ଲିଙ୍ଗ ଓ ରଙ୍ଗ ନିରୂପଣ ସମ୍ଭବ ହେବ ନାହିଁ। କିନ୍ତୁ ୪ଟିଯାକ ଶାବକ ଧଳା ଦେଖାଯାଉଥିବା ଜଣାପଡ଼ିଛି। ମା’ ରୂପା ଓ ୪ ଶାବକଙ୍କ ଉପରେ କଡ଼ା ନଜର ରଖାଯାଇଛି । ସେମାନଙ୍କ ଯତ୍ନ ନେବାରେ ରୂପା କୌଣସି ପ୍ରକାର ଅବହେଳା କରିବା ଦେଖାଯିବା ମାତ୍ରେ ଜନ୍ତୁରକ୍ଷକମାନେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇରହିଛନ୍ତି।

ସେ ପ୍ରଥମ ଥର ପାଇଁ ୨୦୨୨ ମାର୍ଚ୍ଚ ୧୧ ତାରିଖରେ ମା’ ହୋଇଥିଲା। ମହାବଳ ବାଘ ‘ରାଜେଶ’ ସହିତ ମିଳନରୁ ୩ ଶାବକ ଜନ୍ମ ଦେଇଥିଲା। ଏଥିରୁ ୨ଟି ଶାବକ ଏକ ମାସ ମଧ୍ୟରେ ମୃତ୍ୟୁ ହୋଇଥିଲା। କିନ୍ତୁ ତୃତୀୟ ଶାବକ ହିମାଂଶୀକୁ ପ୍ରାଣୀ ଅଦଳବଦଳ କ୍ରମେ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଚକଲାସ୍ଥିତ ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନକୁ ଗତ ଜୁଲାଇ ୯ ତାରିଖରେ ପଠାଯାଇଥିଲା।

ରୁପା ଦ୍ୱିତୀୟ ଥର ପାଇଁ ରାଜେଶ ସହିତ ମିଳନରୁ ଗତ ବର୍ଷ ଜାନୁଆରି ୬ ତାରିଖରେ ମା’ ହୋଇଥିଲା। ଗତ ବର୍ଷ ସେ ଦୁଇଟି ଶାବକ (ଅମ୍ରିତା ଓ ଶିବା)ଙ୍କୁ ଜନ୍ମ ଦେଇଥିଲା। ବର୍ତ୍ତମାନ ଏହି ଦୁଇ ଶାବକ ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛନ୍ତି। ରୂପା ନନ୍ଦନକାନନକୁ ୯ଟି ବାଘ ଭେଟି ଦେଇଛି। ପ୍ରଥମ ଓ ଦ୍ୱିତୀୟ ଥର ସେ ସାଧାରଣ ନାଲି ରଙ୍ଗର ମହାବଳ ରାଜେଶର ଔରସରୁ ୫ଶାବକ ଜନ୍ମଦେଇଥିଲା। ଏଥର ତାକୁ ବିରଳ କଳା ବାଘ କ୍ରିଷ୍ଣା ସହ ମିଶିବାକୁ ସୁଯୋଗ ସୃଷ୍ଟି କରାଯାଇଥିଲା।

ସୂଚନାଯୋଗ୍ୟ, ନନ୍ଦନକାନନର ଅନ୍ୟତମ ଆକର୍ଷଣ ବାଘମାନଙ୍କ ସଂଖ୍ୟା ଧୀରେଧୀରେ ବଢ଼ିବାରେ ଲାଗିଛି। ଆଜି ୪ଟି ଶାବକ ଜନ୍ମ ନେଲା ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ତେବେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ବୃଦ୍ଧି ଘଟିଥିବାରୁ ପଶୁପ୍ରେମୀ ଓ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।

The Aarnika

Related Articles

Leave a Reply

Your email address will not be published. Required fields are marked *

Back to top button