ପୁଣି ପୁରୁଣା ସଂସଦରେ ବସିବେ ଏମପି
ନୂଆଦିଲ୍ଲୀ: ପୁଣି ପୁରୁଣା ସଂସଦରେ ବସିବେ ଏମପି । ସମ୍ବିଧାନ ଗୃହୀତ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ସଂସଦର ମିଳିତ ଅଧିବେଶନ ହୋଇପାରେ । ଦିନିକିଆ ସଂଯୁକ୍ତ ଅଧିବେଶନ ପୁରୁଣା ସଂସଦ ଭବନରେ ହୋଇପାରେ । ଏହି ସ୍ପେଶାଲ ଜଏଣ୍ଟ ସିଟିଂ ପାଇଁ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ ହଲ ସ୍ଥିତି ସମ୍ବିିଧାନ ଭବନରେ ବ୍ୟବସ୍ଥା କରାଯାଇପାରେ । ଏହି ସ୍ଥାନରେ ୧୯୪୯ ନଭେମ୍ବର ୨୬ ତାରିଖରେ ସମ୍ବିଧାନକୁ ଗ୍ରହଣ କରାଯାଇଥିଲା । ଏଥିପାଇଁ ନଭେମ୍ବର ୨୬କୁ ସାରା ଦେଶରେ ସମ୍ବିଧାନ ଦିବସ ରୂପେ ପାଳନ କରାଯାଉଛି ।
ସଂସଦର ଶୀତ ଅଧିବେଶନ ନଭେମ୍ବର ୨୫ରେ ଆରମ୍ଭ ହୋଇପାରେ । ଏହି ଅଧିବେଶନ ନଭେମ୍ବର ୨୫ରୁ ଡିସେମ୍ବର ୨୦ ଯାଏ ଚାଲିବ । ବିଶେଷ କଥା ହେଉଛି,ଏହି ଅଧିବେଶନରେ ଗୋଟିଏ ଦିନ ଗୃହର ସମସ୍ତ ଏମପିମାନେ ସଂସଦର ପୁରୁଣା ବିଲ୍ଡିଂରେ ବସି ପାରନ୍ତି । ନଭେମ୍ବର ୨୬ରେ ଲୋକ ସଭା ଏବଂ ରାଜ୍ୟ ସଭାର ମିଳିତ ଅଧିବେଶନ ଡକାଯାଇପାରେ । ନଭେମ୍ବର ୨୬କୁ ପୂର୍ବରୁ ରାଷ୍ଟ୍ରୀୟ ଆଇନ ଦିବସ ରୂପେ ପାଳନ କରାଯାଉଥିଲା । କିନ୍ତୁ ୨୦୧୫ରେ ମୋଦି ସରକାର ଏହି ଦିନକୁ ସମ୍ବିଧାନ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ୧୯୫୦ ଜାନୁଆରୀ ୨୬ରେ ଭାରତୀୟ ସମ୍ବିଧାନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇଥିଲା ।