ଜଙ୍ଗଲ ଭିତରକୁ ୧୫ ଫୁଟ ମାଡ଼ିଆସିଲା ସମୁଦ୍ର
କେନ୍ଦ୍ରାପଡ଼ା: ବାତ୍ୟା ଦାନା ପରେ ପ୍ରାୟ ୧୫ ଫୁଟ ଜଙ୍ଗଲ ଭିତରକୁ ମାଡ଼ିଆସିଛି ସମୁଦ୍ର। ଡଲଫିନ୍ ହାଉସ୍ ତଳୁ ବାଲି ଧୋଇ ନେଇଛି। ଏଠାରେ ଥିବା ପୁରୁଣା ୱାଚ୍ ଟାୱାର ଜୁଆର ମାଡ଼ରେ ଭୁଶୁଡ଼ି ପଡ଼ିଛି। ସେହିପରି ସାତଭାୟାରୁ ବାବୁବାଲି ଯାଏଁ ବଙ୍ଗୋପସାଗର କୂଳରେ ଥିବା ପାଖାପାଖି ୫ଶହରୁ ଊର୍ଦ୍ଧ୍ୱ ଗଛ ଉପୁଡ଼ି ପଡ଼ିଛି।
ବାତ୍ୟା ଦାନା ଭିତରକନିକା ଜାତୀୟ ଉଦ୍ୟାନର ହବାଳିଖଟି ନେଚର କ୍ୟାମ୍ପରେ ସ୍ଥଳଭାଗ ଛୁଇଁଥିଲା । ଫଳରେ ୨ ମିଟର ଉଚ୍ଚର ଜୁଆର ଆସିଥିଲା। ଏଠାରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ନିର୍ମାଣ ହୋଇଥିଲା ଡଲ୍ଫିନ୍ ହାଉସ୍ ଓ ଟେଣ୍ଟ ହାଉସ । ଏଠାରେ ରହି ପର୍ଯ୍ୟଟକମାନେ ଡଲ୍ଫିନ୍ ଦେଖିବାର ସୁଯୋଗ ପାଉଥିଲେ। ଏହା ଉପରେ ସମୁଦ୍ର ଜୁଆର ଭୟଙ୍କର ଭାବେ ମାଡ଼ ହୋଇଥିଲା। ଫଳରେ ଏହି ହାଉସ୍ ତଳୁ ପ୍ରାୟ ୫ ଫୁଟ ଗଭୀରର ବାଲିକୁ ତାଡ଼ି ନେଇଛି। ଏମିତି କି ୱାଚ୍ ଟାୱାର ଭୁଶୁଡ଼ି ପଡ଼ିଛି । ଆଉ କିଛି ହାଉସର କବାଟ ଓ ଝରକା କ୍ଷତିଗ୍ରସ୍ତ ହୋଇଛି। ଏହା ଭିତରେ ପାଣି ପଶି ରହିଥିବା ଦେଖିବାକୁ ମିଳିଛି। ଲାଟିନ ଟାଙ୍କି ସହିତ ପାଇପ୍ଗୁଡ଼ିକୁ ଭାସି ଯାଇଛି। ସାତଭାୟାରୁ ବାବୁବାଲି ଯାଏଁ ଦୀର୍ଘ ୧୦କିମି ବେଳାଭୂମିରେ ବାଲିପଠାକୁ ଜୁଆର ଧୋଇ ନେଇଛି। ଜଙ୍ଗଲ ଭିତରକୁ ପ୍ରାୟ ୧୫ ଫୁଟ ଯାଏଁ ସମୁଦ୍ର ଜୁଆର ମାଡ଼ିଯିବା ସହ ସେଠାରେ ଥିବା ବାଲି ପଠାକୁ ଧୋଇ ନେଇଛି। ସେହି ଅଞ୍ଚଳରେ ଥିବା ଝାଉଁ, ନିମ୍ବ ଓ ଅଣଚାର ଗଛ ତଳୁ ମାଟି ଓ ବାଲି ଧୋଇ ନେବା ପରେ ଗଛଗୁଡିକ ଉପୁଡ଼ି ପଡ଼ିଥିଲା। ପ୍ରାୟ ୫ଶହ ଗଛକୁ ସମୁଦ୍ର ଜୁଆର ଭସାଇ ନେଇଥିବା ଜଣାପଡ଼ିଛି। ନୂତନ ଡାଇନିଂ ହଲର ପାହାଚ ଜୁଆର ମାଡ଼ରେ ଭାଙ୍ଗିଯାଇଛି।