ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ରାସ୍ତା କାଟିଲା ପ୍ରଶାସନ
ବୈଶିଙ୍ଗା: ଚାଷ ଜମିରୁ ଜଳ ନିଷ୍କାସନ ପାଇଁ ରାସ୍ତା କାଟିଲା ପ୍ରଶାସନ । ଉକ୍ତ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି । ଏମିତି କି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା-ମାଣତ୍ରୀ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବୈଶିଙ୍ଗା ଥାନା ଅନ୍ତର୍ଗତ ଏମଡିଆର ୭୦ ରାସ୍ତାର ରୁପ୍ସାରୁ ଉଦଳା ରାସ୍ତାର ପ୍ରଶସ୍ତିକରଣ ଚାଲିଛି । ଠିକାଦାରଙ୍କ ଅବହେଳାରୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡି ରହିଛି । ଏହି ପରିପେକ୍ଷୀରେ ମାନଗୋବିନ୍ଦପୁର ଗାଁ ନିକଟସ୍ଥ ତାଳଗଛ ଛକ ନିକଟରେ ଥିବା ଏକ କଲଭର୍ଟ ନିର୍ମାଣ ପାଇଁ ପାର୍ଶ୍ୱରେ ଏକ ସର୍ଭିସ ରୋଡ଼ ନିର୍ମାଣ କରାଯାଇଥିଲା । ହେଲେ ଦୀର୍ଘଦିନ ହେବ ଉକ୍ତ କଲଭର୍ଟ କାମ ଅଧାପନ୍ତରିଆ ହୋଇ ପଡି ରହିଥିବା ଯୋଗୁଁ ଉକ୍ତ ସର୍ଭିସ ରୋଡ଼ରେ ଯିବାଆସିବା ସର୍ବଦା ବିପଜ୍ଜନକ ଥିଲା । ତେବେ ବୁଢାବଳଙ୍ଗ ବନ୍ୟା ପାଣି ନିଷ୍କାସନରେ ଉକ୍ତ ସର୍ଭିସ ରୋଡ଼ ବାଧକ ସାଜିଥିଲା । ଫଳରେ ଏକର ଚାଷଜମି ଜଳମଗ୍ନ ହୋଇଥିଲା । ଯେଉଁଥିପାଇଁ ରବିବାର ସକାଳୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ସର୍ଭିସ ରୋଡ଼କୁ କାଟି ଜଳ ନିଷ୍କାସନ ପାଇଁ ଦାବୀ ଉଠାଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ଉକ୍ତ ସ୍ଥାନରେ ଉତ୍ତେଜନା ଦେଖାଦେଇଥିଲା । ଖବରପାଇ ବୈଶିଙ୍ଗା ଥାନା ଅଧିକାରୀ, ଜିଲ୍ଲାପାଳ ହେମନ୍ତ କୁମାର ସାଏ ଏବଂ ଏସପି ବରୁଣ ଗୁଣ୍ଟୁ ପାଲିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ । ପରେ ବାଧ୍ୟ ହୋଇ ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ ଠିକାଦାରଙ୍କ ଦ୍ୱାରା ଉକ୍ତ ସର୍ଭିସ ରୋଡ଼କୁ କାଟି ଜଳ ନିଷ୍କାସନ କରାଯାଇଛି । ଫଳରେ ବୈଶିଙ୍ଗା-ମାଣତ୍ରୀ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।