ବାତ୍ୟା ପରେ ବନ୍ୟା: ଘରେ ପଶିଲା ପାଣି
ଭଦ୍ରକ: ବାତ୍ୟା ପରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ବାତ୍ୟା ଦାନା ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ସବୁଆଡ଼େ ଜଳମଗ୍ନ ହୋଇଯାଇଛି । ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶିଛି । ଜଳ ନିଷ୍କାସନ ବ୍ୟବସ୍ଥା ଠିକ ନ ଥିବାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ଭଦ୍ରକ ପୌରାଞ୍ଚଳ ଅଧୀନ ୪ ନଂ, ୫ ନଂ, ୮ ଓ ୧୦ ନଂ ୱାର୍ଡରେ ଲୋକଙ୍କ ଘର ଭିତରେ ଶୁକ୍ରବାର ସନ୍ଧ୍ୟାରେ ପାଣି ପଶିଛି। ସହରର ଜଗନ୍ନାଥପୁର, ମହତାବ ନଗର, ଧରିତ୍ରୀ ନଗର, ଚରମ୍ପା, ଆଚାର୍ଯ୍ୟ ନଗର ରାସ୍ତା ଜଳାର୍ନବ ହୋଇଛି । ୧୬ ନଂ ଜାତୀୟ ରାଜପଥ ଓ ସର୍ଭିସ ରୋଡ଼ ରେ ଆଣ୍ଠୁଏ ଉଚ୍ଚରେ ବର୍ଷା ପାଣି ଲହଡି ମାରୁଛି। ସେହିପରି ଜିଲାର ୭ ବ୍ଲକରେ ମୁଖ୍ୟ ରାସ୍ତା ଓ ଗ୍ରାମ୍ୟ ରାସ୍ତା ଜଳାର୍ଣ୍ଣବ ହୋଇଛି । ବନ୍ତ ବ୍ଲକର ବାଙ୍କତିରା – ସରମରା ରାସ୍ତାରେ ୩ ଫୁଟ ଉଚ୍ଚରେ ସୁଅ ଚାଲିଛି । ଜଗନ୍ନାଥପୁର -ମୁଣ୍ଡଳୀ ରାସ୍ତା, ଧାନଘର – ନିର୍ମଳପୁର ରାସ୍ତା, ଆଡିଆ – ଜିରିଣା ରାସ୍ତାରେ ପାଣି ସୁଅ ଚାଲିଛି।