ନିକଟତର ହେଲାଣି ବାତ୍ୟା, ବଢିଲା ପବନ
ଭୁବନେଶ୍ୱର : ନିକଟତର ହେବାରେ ଲାଗିଛି ବାତ୍ୟା ଦାନା । ଆହୁରି ବଢିଲାଣି ପବନ । ପ୍ରବଳ ଛେଚୁଛି ବର୍ଷା । ତୀବ୍ର ଗତିରେ ମାଡ଼ି ଆସୁଛି ବାତ୍ୟା ଦାନା। ଅଧରାତିରେ ଛୁଇଁବ ସ୍ଥଳଭାଗ । ପରେ ରଚିବ ତାଣ୍ଡବ । ବାତ୍ୟା ଦାନା ଏବେ ପାରାଦୀପଠାରୁ ୨୧୦ କିମି ଦକ୍ଷିଣ-ପୂର୍ବ ଦିଗରେ ଓ ଧାମରା ବନ୍ଦରଠାରୁ ୨୪୦ କିମି ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ରହିଛି। ଘଣ୍ଟାପ୍ରତି ୧୨କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି ଦାନା । କେନ୍ଦ୍ରାପଡା ଜିଲାର ଭିତରକନିକା ଓ ଭଦ୍ରକ ଜିଲାର ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଦାନା । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିମି ରହିବ। ଏ ସବୁ ଭିତରେ ବଡ଼ ଖବର ସାମ୍ନାକୁ ଆସିଛି । ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ପୂର୍ବରୁ ସାମାନ୍ୟ ଦିଗ ବଦଳାଇପାରେ। ପଶ୍ଚିମ ଓ ପଶ୍ଚିମଦକ୍ଷିଣ ଆଡ଼େ ଟିକେ ଦିଗ ବଦଳାଇପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ।
ଉଗ୍ର ରୂପରେ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଏହାର ପ୍ରଭାବରେ ଉତ୍ତର ଉପକୂଳବର୍ତ୍ତୀ ଜିଲାଗୁଡିକୁ ଅତିରୁ ଅତିପ୍ରବଳ ବର୍ଷା ଜାରି ରହିବ। ସଂଲଗ୍ନ ଜିଲାଗୁଡିକୁ ଦୁଇ ଦିନ ଅତି ପ୍ରବଳ ବର୍ଷା ହେବ। ତେବେ ସମୁଦ୍ର ଜୁଆରର ପ୍ରଭାବ ଉପକୂଳରେ ଉପକୂଳବର୍ତ୍ତୀ ଜିଲା ଯଥା କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଉପକୂଳରେ ସମୁଦ୍ର ଜୁଆର ୧ରୁ ୨ ମିଟର ଅଧିକ ଉଚ୍ଚ ରହିବ। ଉପକୂଳବର୍ତ୍ତୀ ଅଞ୍ଚଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି ।