ଭୟଙ୍କର ଭାବେ ମାଡ଼ି ଆସୁଛି ଦାନା: ରାତିରେ ରଚିବ ତାଣ୍ଡବ
ଭୁବନେଶ୍ୱର : ଅତି ଭୟଙ୍କର ଭାବେ ମାଡ଼ି ଆସୁଛି ବାତ୍ୟା ଦାନା । ଉପକୂଳମୁହାଁ ହେଉଛି ଦାନା। ଲ୍ୟାଣ୍ଡଫଲ କରିବା ପରେ ମଧ୍ୟରାତିରେ ରଚିବ ତାଣ୍ଡବ । ଅନେକ କ୍ଷୟକ୍ଷତି କରିବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ଭୟଙ୍କର ରୂପ ଧାରଣ କରି ଉତ୍ତର ପଶ୍ଚିମ ଦିଗରେ ଗତିକରି ଭିତରକନିକା ଏବଂ ଧାମରା ମଧ୍ୟ ଦେଇ ସ୍ଥଳଭାଗରେ ଅତିକ୍ରମ କରିବ। ଏବେ ବାତ୍ୟା ଉତ୍ତର ପଶ୍ଚିମ ଦିଗରେ ୧୫ କିଲୋମିଟର ବେଗରେ ଗତି କରୁଛି। ପାରାଦୀପ ଦକ୍ଷିଣ-ପୂର୍ବକୁ ୨୬୦ କିଲୋମିଟର ଓ ଧାମରା ଠାରୁ ୨୯୦ ଦୂରରେ ରହିଛି ଦାନା ।
ଉପକୂଳ ଛୁଇଁବା ପରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାଯାଇଛି। ଏହିସବୁ ଜିଲା ପାଇଁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ସେହିପରି ଜଗତସିଂହପୁର, ବାଲେଶ୍ୱର, କେନ୍ଦ୍ରାପଡା ଓ ଭଦ୍ରକରେ ବାତ୍ୟାର ଅଧିକ ପ୍ରଭାବ ରହିବ। ପ୍ରବଳରୁ ଅତି ପ୍ରବଳ ପର୍ଷା ହେବା ସହ ଭୟଙ୍କର ପବନ ବହିବ । ତେବେ ସକାଳୁ ସକାଳୁ ଚାନ୍ଦବାଲି, ପୁରୀ, ଏବଂ କେନ୍ଦ୍ରାପଡାରେ ଛେଚୁଛି ବର୍ଷା । ଭୁବନେଶ୍ୱରରେ ମଧ୍ୟ ସକାଳୁ ସକାଳୁ ଝିପିଝିପି ବର୍ଷା ହେବା ସହ ପବନ ମଧ୍ୟ ହେଉଛି ।