କଟକ ସହରରୁ ହୋଡ଼ିଂ,ବାଉଁଶ ଗେଟ୍ ହଟାଇବାକୁ ନିର୍ଦ୍ଦେଶ
କଟକ: ପ୍ରବଳ ବେଗରେ ଉପକୂଳ ଆଡକୁ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ‘ଦାନା’ । ବାତ୍ୟା ଦାନାକୁ ଦୃଷ୍ଟିରେ ରଖି କଟକ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋଡିଂ ଓ ପୂଜା ପାଇଁ କରାଯାଇଥିବା ବାଉଁଶ ଗେଟ ତୁରନ୍ତ ହଟାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କଟକ ଡିସିପି, ଜିଲ୍ଲାପାଳ ଓ ସିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହାସହ ରିଂ ବନ୍ଧ ଓ ସହରର ବିଭିନ୍ନ ସ୍ଥାନରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗଛ ଗୁଡିକୁ କାଟିିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପୂଜା ମଣ୍ଡପରୁ ଯଦି ଗେଟ୍ ହଟା ନ ଯାଏ, ତେବେ ସେମାନଙ୍କୁ ଆସନ୍ତା ବର୍ଷକୁ ଗେଟ୍ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କୋର୍ଟ ରୋକଠୋକ ଶୁଣାଇଛନ୍ତି । ଏହା ସହ ସହରରୁ ଜଳ ନିଷ୍କାସନ ପାଇଁ ପମ୍ପସେଟ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ଅନ୍ୟପଟେ ବତ୍ୟାକୁ ନଜରରେ ରଖି ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର କଳାବଜାରୀ ହେଉଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ହାଇକୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି । ଏହାକୁ ରୋକିବା ପାଇଁ ପୋଲିସକୁ ସିଭିଲ ଡ୍ରେସ୍ ରେ ନିୟୋଜିତ କରିବାକୁ କୋର୍ଟ କହିଛନ୍ତି ।